ସେବାୟତ କୂଳର ନିଆରା ପରମ୍ପରା ନେତପିଲା
ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତିନୀତି ଯେଭଳି ଅନନ୍ୟ ସେହିଭଳି ନିଆରା ଠାକୁରଙ୍କ ସେବାୟତ ପରମ୍ପରା । ସେବାୟତ ପରିବାରରେ ନିଆରା ପରମ୍ପରା ନେତପିଲା ବ୍ରତ । ୨୧ ଦିନ ଧରି ବଳି ପୂଜା କରିବା ସହ ଆଶ୍ୱିନ ମାସର ପଞ୍ଛମୀ, ଷଷ୍ଠୀ,ସପ୍ତମୀ ଶେଷ ତିନିଦିନ ପାରମ୍ପରିକ ବେଶ ସହ ମାର୍କଣ୍ଡ ପୁଷ୍କଋଣୀକୁ ଯାଇ ପୁଷ୍କଋଣୀ କୂଳରେ ବସି ନିଷ୍ଠା ଭକ୍ତିର ସହ ମାର୍କଣ୍ଡେୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ବାପା ମାଆଙ୍କ ଆୟୁଷ ବୃଦ୍ଧି ସହ ଭଲ ଓ ସୁନ୍ଦର ବରପ୍ରାପ୍ତି ପାଇଁ ହର ପାର୍ବତୀଙ୍କ ପାଖରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାର ଭୂଷିତ ହୋଇ ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । କୁମାରୀ କନ୍ୟାମାନେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ମାର୍କଣ୍ଡ ପୁଷ୍କଋଣୀ ନିକଟରେ ହର ପାର୍ବତୀଙ୍କୁ ପୂଜା କରିବା ସହ ବଳି ପୂଜା କରିଥିଲେ । ଏହା ସହ ବଳି ଗୀତ ଗାନ କରିଥିଲେ । ବିଭିନ୍ନ ପ୍ରକାର ଫଳ ଯଥା ପାଣିକଖାରୁ, ଜହ୍ନି,ପରିବା ଓ ଗୁଆ ଅର୍ପଣ କରି ପୂଜା କରିଥିଲେ । ମା ପାର୍ବତୀ ଶିବଙ୍କୁ ପାଇବା ପାଇଁ ଏହି ପୂଜା କରିଥିବାରୁ କିମ୍ବଦନ୍ତୀ ଅନୁସାରେ ସେବାୟତ କୂଳରେ ଏହି ପରମ୍ପରା ପାଳିତ ହେଉଛି । ଅଳଙ୍କାର ମଧ୍ୟରେ ଗୋଡ଼ରେ ପାହାଜେମା ,ଗୋଡ଼ ଖଡ଼ୁ, ପାହୁଡ଼,କଂଟା ପାହୁଡ଼,ବାଙ୍କି ଓ ହାତରେ କଣ୍ଠି ପୋହଳା, ବଟଫଳ, ମଟର ଖଡ଼ୁ, ଚାଇଁ ଝୁଡ଼ିକି,ଏବଂ ମୁଣ୍ଡରେ ଅଳକା,କେତକୀ ରଖା,ରାଗିଣୀ ଚନ୍ଦ୍ର, ବେଣୀ ସଜ,କୃଷ୍ଣ ଚୂଡ଼,ବାଜି ବିନ୍ଧ,ସୁନା ରସୁଣ,ଅଂଟାମାଳ ଓ ରତ୍ନମାଳି ଆଭୂଷଣ ନେତ ପିଲାମାନେ ପିନ୍ଧିଥାନ୍ତି । ଆଇ ଘରୁ ନେତ ପିଲାଙ୍କ ପାଇଁ ନୂଆ ପାଟ ଓ ରୂପା ଫରୁଆ ଆସିଥାଏ । ନେତ ପିଲାମାନେ ଏହି ବେଶ ଭୂଷାରେ ବନ୍ଧୁ ଓ ପରିବାରବର୍ଗଙ୍କ ପାଖରେ ମୁଣ୍ଡିଆ ମାରି ଘରକୁ ଫେରିଥାନ୍ତି । ଆଈ ଘରୁ ଆସିଥିବା ଖେଚୁଡ଼ି ଖାଇ ବ୍ରତ ପାଳିଥିଲେ । ଏହି ଦିନମାନଙ୍କରେ ଆମିଷ ସେବନ କରିନଥାନ୍ତି । କୁହାଯାଏ ନେତପିଲା ପରମ୍ପରା ହେଉଛି ବିବାହର ପ୍ରାକ୍ ପ୍ରସ୍ତୁତି । କନ୍ୟାଙ୍କୁ ସୁସଜ୍ଜିତ କରାଗଲେ ଏଭଳି ସୁନ୍ଦର ଦିଶିବେ ବୋଲି ଜଣାପଡ଼ିଥାଏ ।
