ଦିଲ୍ଲୀରେ ସ୍କୁଲ ଓ କଲେଜ ବନ୍ଦକୁ ରବିବାର ପର୍ଯ୍ୟନ୍ତ ସମ୍ପ୍ରସାରଣ
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁର ମାନ ହ୍ରାସ ଯୋଗୁ ଦିଲ୍ଲୀ ସରକାର ଘୋଷଣା କରିଥିବା ସ୍କୁଲ ଓ କଲେଜ ବନ୍ଦକୁ ରବିବାର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ସେହିପରି କର୍ମଚାରୀ ମଧ୍ୟ ରବିବାର ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟାଳୟ କାମ କରିବେ ବୋଲି ପରିବେଶ ମନ୍ତ୍ରୀ ଗୋପାଲ ରାୟ ବୁଧବାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ସରକାର ଏହି କଟକଣା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଥିଲେ।
ରାଜଧାନୀ ଦିଲ୍ଲୀ ବାୟୁମାନରେ ଏବେ ସାମାନ୍ୟ ସୁଧାର ଆସିଛି। ଏଣୁ ରାଜଧାନୀକୁ ଅତି ଜରୁରି ନଥିବା ସାମଗ୍ରୀ ନେଇ ପ୍ରବେଶ କରୁଥିବା ଟ୍ରକମାନଙ୍କ ଉପରେ କଟକଣା ଜାରି ହୋଇଛି । ଦିଲ୍ଲୀରେ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ନିର୍ମାଣ ସମ୍ପର୍କିତ ଭଙ୍ଗାରୁଜା କାମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଦିଲ୍ଲୀର ବାୟୁ ଗୁଣମାନ କିଛିମାତ୍ରାରେ ସୁଧୁରିଛି। ବୁଧବାର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୭୫ ରେକର୍ଡ ହୋଇଛି। ତେବେ ଦିନକ ପୂର୍ବରୁ ଏହା ୪୦୩ ଥିଲା।
ଆଇଏମଡିଙ୍କ ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରି ସେଲସିୟସ୍ ରହିଛି। ନଭେମ୍ବର ମାସରେ ଦିଲ୍ଲୀର ତାପମାତ୍ରା ହ୍ରାସର ଏହା ପ୍ରଥମ ଘଟଣା। କମ୍ ତାପମାତ୍ରା ଓ ବାୟୁର ବେଗ ହ୍ରାସ ଯୋଗୁ ଦିଲ୍ଲୀରେ ଲୋଅର ଭେଣ୍ଟିଲେସନ ଇଣ୍ଡେକ୍ସ ନେଇ ଆଇଏମଡିଙ୍କ ବିବେକ ସୋନି କହିଛନ୍ତି। ଏଣୁ ପ୍ରଦୂଷଣ ବ୍ୟାପିବା କମିବ। ତେବେ ରବିବାର ବେଳକୁ ବାୟୁର ବେଗ ବୃଦ୍ଧି ଗୁଣମାନ ବୃଦ୍ଧିରେ ସହାୟକ ହୋଇପାରେ ବୋଲି ସୂଚିତ କରିଛନ୍ତି।
