ବିସିସିଆଇରୁ ବିଦାୟ ନେବେ ଗାଙ୍ଗୁଲି। ମିଳିବ ନୂଆ ଅଧ୍ୟକ୍ଷ
ମୁମ୍ବାଇ : ଶେଷ ହେବ କାର୍ଯ୍ୟକାଳ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ରୁ ବିଦାୟ ନେବେ ଗାଙ୍ଗୁଲି। ବିସିସିଆଇର ନୂତନ ଅଧ୍ୟକ୍ଷକୁ ନେଇ ଶୀଘ୍ର ଘୋଷଣା ହୋଇପାରେ।
ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ତେବେ ନିକଟରେ ବରିଷ୍ଠ ଅଧିକାରୀଙ୍କ ଏକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ପରବର୍ତ୍ତୀ ନିର୍ବାଚନ ଉପରେ ଆଲୋଚନା କରାଯାଇଥିଲା। ତେବେ ଆସନ୍ତା ସପ୍ତାହରେ ଦିଲ୍ଲୀରେ ପରବର୍ତ୍ତୀ ବୈଠକ ହେବ ବୋଲି ଆଶା କରାଯାଉଛି। ଉକ୍ତ ବୈଠକରେ ଆସନ୍ତା ବିସିସିଆଇ ନିର୍ବାଚନ ରାଜ୍ୟ ସଙ୍ଗଠନମାନେ ସେମାନଙ୍କ ମତାମତ ରଖିବେ।
ଏମିତିରେ ଗାଙ୍ଗୁଲି ନିଜର ପଦ ଛାଡିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି ଏବଂ ବୋର୍ଡକୁ ନୂତନ ଅଧ୍ୟକ୍ଷ ମିଳିପାରେ। ତେବେ ଅଧ୍ୟକ୍ଷ ହେବା ଦୌଡରେ ଜୟ ଶାହଙ୍କ ନାମ ନାହିଁ। ଏଥିରେ ସାମିଲ୍ ଜଣେ ବିଶ୍ଵ ଚାମ୍ପିଅନ ଖେଳାଳିଙ୍କ ନାମ। ଏଏନଆଇ ଅନୁଯାୟୀ, ୧୯୮୩ ବିଶ୍ଵ କପ୍ ବିଜେତା ଦଳର ସଦସ୍ୟ ପୂର୍ବତନ ବରିଷ୍ଠ ଖେଳାଳି ରୋଜର ବିନ୍ନି ଗାଙ୍ଗୁଲିଙ୍କ ସ୍ଥାନରେ ବିସିସିଆଇର ଅଧ୍ୟକ୍ଷ ହୋଇ ପାରନ୍ତି। ସେ ଏହି ଦୌଡରେ ବର୍ତ୍ତମାନ ଆଗରେ ଅଛନ୍ତି। ଶୀଘ୍ର ଏହା ଉପରେ ଆନୁଷ୍ଠାନିକ ମୋହର ଲାଗିପାରେ।
ଗାଙ୍ଗୁଲି ୨୦୧୯ ଅକ୍ଟୋବର ୨୩ରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଅକ୍ଟୋବର ୨୪ରେ ଜୟ ଶାହ ସଂପାଦକ ଦାୟିତ୍ଵ ଗ୍ରହଣ କରିଥିଲେ। ଉଭୟଙ୍କ କାର୍ଯ୍ୟକାଳ ୨୦୨୨ ଅକ୍ଟୋବରରେ ସରୁଛି। ନିକଟରେ ସୁପ୍ରିମକୋର୍ଟର ମଞ୍ଜୁରୀ କ୍ରମେ ବିସିସିଆଇ ସଂପର୍କିତ ସମ୍ବିଧାନର ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ୬ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବିସିସିଆଇର ଅଧ୍ୟକ୍ଷ ପଦରେ ରହି ପାରିବେ। ତେଣୁ ଗାଙ୍ଗୁଲି ଏବଂ ଶାହ ଉଭୟ ନିଜର କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଜାରି ରଖି ପାରିବେ। ମାତ୍ର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲି ନିଜ ପଦ ଛାଡିବାକୁ ଯାଉଛନ୍ତି।
