ଟି-୨୦ରେ ୫ହଜାର ରନ୍ ପୂରଣ କଲେ ସଞ୍ଜୁ ସାମସନ, ରୋହିତ-କୋହଲିଙ୍କ କ୍ଲବରେ ସାମିଲ
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ରେ ବିଶେଷ କରି ଖେଳାଳିଙ୍କ ଖାସ ରେକର୍ଡ ଦେଖିବାକୁ ମିଳୁଛି । ଜଣେ ପରେ ଜଣେ ଖେଳାଳି ରେକର୍ଡ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍ ଟି-୨୦ କ୍ରିକେଟରେ ନିଜର ୫ ହଜାର ରନ୍ ପୂରଣ କରିଛନ୍ତି । ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ୧୧ ରନ୍ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ । ସାମସନଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଗୌତମ ଗମ୍ଭୀର ସମେତ ୧୨ ଜଣ ଖେଳାଳି ଏହି ରେକର୍ଡ ଉପଲବ୍ଧି ହାସଲ କରିଛନ୍ତି । କେରଳରେ ରହୁଥିବା ସଞ୍ଜୁ ଏବେ ୨୦୫ ଟି-୨୦ରେ ୫୦୩୫ ରନ୍ ହାସଲ କରିଛନ୍ତି । ଏଥିରେ ୩ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ ଅଛି । ଏହାସହ ସେ ୩୯୪ ଚୌକା ଓ ୨୨୧ ଛକା ଲଗାଇଛନ୍ତି ।
ସୂଚନା ଯେ, ଟି୨୦ କ୍ରିକେଟରେ ସର୍ବାଧିକ ରନ୍ କରିଛନ୍ତି କ୍ରିସ ଗେଲ୍ । ସେ ୪୬୩ ମ୍ୟାଚ୍ ଖେଳି ୧୪୫୬୨ ରନ୍ କରିଛନ୍ତି । ଏଥିରେ ୨୨ଟି ଶତକ ଓ ୮୮ ଅର୍ଦ୍ଧଶତକ ମଧ୍ୟ ରହିଛି । ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲିକ ରହିଛନ୍ତି । ସେ ୪୭୨ ମ୍ୟାଚରେ ୧୧୬୯୮ ରନ୍ କରିଛନ୍ତି ।
