ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ବାଦ୍ ପଡ଼ିଲେ ସାନିଆ
ମେଲବୋର୍ଣ୍ଣ : ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ବାଦ୍ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା । ମିକ୍ସଡ ଡବଲ୍ସ କ୍ୱାର୍ଟର-ଫାଇନାଲ ମୁକାବିଲାରେ ସାନିଆ ଓ ତାଙ୍କର ଆମେରିକୀୟ ପାର୍ଟନର ରାଜୀବ ରାମ ପରାସ୍ତ ହୋଇଛନ୍ତି ।
ଫଳରେ ପ୍ରତିଯୋଗିତା ରେ ଉଭୟଙ୍କର ଅଭିଯାନ ଶେଷ ହୋଇଛି । ମାରଗାରେଟ କୋର୍ଟ ଏରେନାରେ ଖେଳାଯାଇଥିବା କ୍ୱାର୍ଟର-ଫାଇନାଲରେ ଜେସନ କୁଲବର ଓ ଜେମି ଫୁରଲିସଙ୍କ ଠାରୁ ପରାଜିତ ହୋଇଛନ୍ତି ସାନିଆ ଓ ରାଜୀବ ଯୋଡି । କୁଲବର ଓ ଫୁରଲିସ ୬-୪, ୭-୬ ସିଧାସଳଖ ସେଟ୍ରେ ସାନିଆ ଓ ରାଜୀବଙ୍କୁ ହରାଇଛନ୍ତି । ପ୍ରଥମ ସେଟ୍ରେ ପରାଜୟ ପରେ ସାନିଆ ଓ ଆମେରିକାର ରାଜୀବ ଚାପରେ ରହିଥିଲେ । ତେବେ ଦ୍ୱିତୀୟ ସେଟ୍ରେ ପରାଜୟ ଏଡାଇବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏକ ସମୟରେ ୫-୫ରେ ପଏଂଟ ବରାବର ରହିଥିଲା, ମାତ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୭-୬ରେ ଭାରତୀୟ-ଆମେରିକୀୟ ଯୋଡି ପରାସ୍ତ ହୋଇଥିଲେ । ୨୦୨୨ ସିଜିନ ଟେନିସ କୋର୍ଟରେ ସାନିଆଙ୍କ ଶେଷ ବର୍ଷ ହେବ ଓ ସେ ସନ୍ୟାସ ନେବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।
