ପୁରୀ ବେଳାଭୂମିରେ ମହିଳାମାନଙ୍କୁ ସମ୍ମାନ ଜଣାଇ ବାଲୁକା ମୂର୍ତ୍ତି
ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ । ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ମହିଳା ମାନଙ୍କୁ ସମ୍ମାନ ଜଣାଇ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ।
ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏ ବର୍ଷର ଥିମକୁ ଆଧାର କରି ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ନାରୀ ମାନଙ୍କୁ ସମ୍ମାନ ଜଣାଇବା ସହିତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ପକ୍ଷପାତ ନ କରି ସମ ଦୃଷ୍ଟିରେ ଦେଖିବା ସହିତ ନାରୀମାନଙ୍କର ସମାଜରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି ।
