ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରଓ୍ୱାଲ ଅପହରଣ ମାମଲା ! ଟଙ୍କା ପାଇଁ କରାଯାଇଛି ହତ୍ୟା, ୨ ଗିରଫ
ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରଓ୍ୱାଲ ଅପହରଣ ମାମଲାର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୋଲିସ । ଏହି ଅପହରଣ ଘଟଣା ପଛରେ ସମ୍ପର୍କିୟଙ୍କ ହାତ ରହିଥିବା ନେଇ ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି। କେବଳ ଅପହରଣ ନୁହେଁ, ଟଙ୍କା ପାଇଁ ସମର୍ଥ ଅଗ୍ରଓ୍ୱାଲଙ୍କୁ ହତ୍ୟା କରାଯାଇଛି ବୋଲି ଏସପି ସୂଚନା ପ୍ରଦାନ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଝାରସୁଗୁଡ଼ାର ବିଜୁ ନଗର ଅଞ୍ଚଳର ଅମିତ କୁମାର ଶର୍ମା ଓ ବ୍ରଜରାଜନଗରର ଗାନ୍ଧୀ ଛକର ଦିନେଶ ଅଗ୍ରଓ୍ୱାଲ। ଏହା ସହିତ ସମର୍ଥ ଅଗ୍ରଓ୍ୱାଲଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ମଧ୍ୟ ଜବତ କରିଛି ପୋଲିସ।
ପୋଲିସ ଦେଇଥିବା ସୂଚନା ଅନୁଯାୟୀ ସହରର ସରବାହାରଲ ନ୍ୟୁ ହାଇଟସ ପାଖ କ୍ରିଷ୍ଣା ଏନକ୍ଲେଭରେ ସୁମିତ ଅଗ୍ରଓ୍ୱାଲ ଓ ସଙ୍ଗୀତା ଅଗ୍ରଓ୍ୱାଲ ରୁହନ୍ତି। ସମର୍ଥ ହେଉଛି ଏହି ଦମ୍ପତିଙ୍କର ପୁଅ। ଗତ ୨୭ ତାରିଖ ଅପରାହ୍ଣରେ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ସମର୍ଥ ଏକ ସ୍କୁଟର ଯୋଗେ ଘରୁ ବାହାରିଥିଲେ। ସନ୍ଧ୍ୟା ବେଳକୁ ସମର୍ଥଙ୍କ ମୋବାଇଲ ଫୋନରୁ ସୁମିତଙ୍କ ନିକଟକୁ ଅପହର୍ତ୍ତାମାନେ ଫୋନ କରିଥିଲେ। ଫୋନ କରି ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ଦୁଇଥର ଫୋନ କରିବା ପରେ ସମର୍ଥଙ୍କ ମୋବାଇଲକୁ ସ୍ୱିଚ ଅଫ କରିଦେଇଥିଲେ। ସୁମିତ ଏନେଇ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ରାତିରେ ମୋବାଇଲ ଫୋନର ଲୋକେସନ ହୀରାକୁଦ ଓ ବୁର୍ଲା ଆଖପାଖରେ ଦେଖାଇଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଥିଲା।
ତେବେ ସୁମିତଙ୍କ ଘର ପାଖ ସିସିଟିଭି ଫୁଟେଜକୁ ତନଖିବା ପରେ ତଦନ୍ତକୁ ଜୋରଦାର କରିଥିଲେ ଝାରସୁଗୁଡ଼ା ପୋଲିସ। ସିସିଟିଭି ଫୁଟେଜକୁ ତନଖିବା ପରେ ଅମିତ କୁମାର ଶର୍ମା ଓ ତାଙ୍କୁ ସହାୟତା କରିଥିବା ଦିନେଶ ଅଗ୍ରଓ୍ୱାଲଙ୍କୁ ଉଠାଇ ନେଇ ଜେରା କରିଥିଲେ। ପରେ ଘଟଣାକୁ ବାସ୍ତବ ରୂପ ଦେଇଥିବା ନେଇ ସେମାନେ ସ୍ୱିକାର କରିଥିଲେ ବୋଲି ଝାରସୁଗୁଡ଼ା ଏସପି ସ୍ମିଥ ପରମାର ସୂଚନା ଦେଇଥିଲେ।
ସେପଟେ ଏହି ଘଟଣାରେ ସ୍ଥାନୀୟ ବାସିନ୍ଦା ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଆଙ୍ଗୁଠି ଉଠାଇଛନ୍ତି। ଏହି ଘଟଣାରେ ପୋଲିସ ଯଦି ତତ୍ପରତା ଦେଖାଇଥାନ୍ତା ତେବେ ଏହି ସମର୍ଥଙ୍କୁ ରକ୍ଷା କରାଯାଇପାରିଥାନ୍ତା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେପଟେ ବରଗଡ଼ ଅଞ୍ଚଳରୁ ଏହି ଦରପୋଡ଼ା ମୃତଦେହକୁ ଉଦ୍ଧାର କରିଛି ପୋଲିସ। କାରରେ ଆସି କିଛି ଲୋକ ଏକ ମୃତଦେହକୁ ପୋଡ଼ି ପଳାଇଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦେଖିଥିଲେ। ଘଟଣାସ୍ଥଳରୁ ଏକ ରକ୍ତଲଗା କଟୁରୀ ମଧ୍ୟ ଜବତ କରିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ସନ୍ଦେହ ହେଉଥିବାରୁ ପୋଲିସ ଗୋଡଭଗାରୁ ବିନିକା ପର୍ଯ୍ୟନ୍ତ ସମସ୍ତ ସିସିଟିଭିକୁ ଯାଞ୍ଚ କରିଥିଲା। ବୁଧବାର ପୁନର୍ବାର ବରଗଡ଼ ଏସପି, ଅତିରିକ୍ତ ଏସପି, ଅତାବିରା ଓ ଭେଡେନ ଥାନା ଆଇଆଇସି ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। ବିଭିନ୍ନ ଥାନାକୁ ସୂଚନା ଦେବା ପରେ ଝାରସୁଗୁଡ଼ାର ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ଥିବା ନେଇ ଜଣାପଡ଼ିଥିଲା। ପରେ ସମର୍ଥଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ପରିବାର ଲୋକ ଆସି ମୃତଦେହକୁ ଚିହ୍ନଟ କରିଥିଲେ।
