ତପସ୍ୱିନୀ ପରେ ସାଲିନୀ! ଶ୍ୱଶୁର ଘରକୁ ଯିବା ପାଇଁ ରାତି ସାରା ଗେଟ୍ ବାହାରେ ବସିଲେ ବୋହୂ
ବାଲେଶ୍ୱର : ଗଞ୍ଜାମ ପରେ ବାଲେଶ୍ୱର । ସେଠି ତପସ୍ୱିନୀ, ଏଠି ସାଲିନୀ । ଦୁହିଁଙ୍କ ସମସ୍ୟା ପାଖାପାଖି ଏକ । ଏହିପରି ଏକ ଘଟଣା ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନସ୍ତ ରାଣୀପାଟଣା ବ୍ୟାଙ୍କ କଲୋନୀରେ ଦେଖିବାକୁ ମିଳିଛି । ଶ୍ୱଶୁର ଘରକୁ ପ୍ରବେଶ ନେଇ ରାତି ସାରା ଗେଟ୍ ସମ୍ମୁଖରେ ବସିଲେ ସାଲିନୀ । ମାତ୍ର ଶ୍ୱଶୁର ଘର ଲୋକେ ଗେଟ୍ରେ ତାଲା ଦେଇ ଫେରାର ।
ସୂଚନା ଯେ, ରାଣୀପାଟଣା ବ୍ୟାଙ୍କ କଲୋନୀର ରାଜେନ୍ଦ୍ର ଗୁପ୍ତା ନାମକ ଯୁବକ ୟୁପି ବଲିଆ ଅଞ୍ଚଳର ସାଲିନୀ ଗୁପ୍ତାଙ୍କୁ ଗତ ଜାନୁଆରୀ ୨୩ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ଦେଢ଼ମାସ ମଧ୍ୟରେ ଶ୍ୱଶୁରଘର ଲୋକେ ସାଲିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ପରେ ସାଲିନୀଙ୍କୁ ତାଙ୍କର କଲିକତାରେ ରହୁଥିବା ଭାଇ ଘରକୁ ବୁଲିବା ପାଇଁ ପଠାଇଥିଲେ । ୧୦ଦିନ ରହିବା ପରେ ସାଲିନୀ ଶ୍ୱଶୁର ଘରକୁ ବାହାରିବାରୁ ତାଙ୍କୁ ସ୍ୱାମୀ, ଶାଶୁ ଆସିବା ପାଇଁ ମୋବାଇଲରେ ମନା କରିଥିଲେ । ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସାଲିନୀ ଗତ ଶୁକ୍ରବାର ତାଙ୍କର ମା’ବାପାଙ୍କ ସହ ବାଲେଶ୍ୱର ଆସି ଘଟଣା ସମ୍ପର୍କରେ ସହଦେବଖୁଣ୍ଟା ଥାନାରେ ଲିଖିତ ଜଣାଇଥିଲେ । ଥାନାରେ ଉଭୟ ପକ୍ଷଙ୍କୁ ଡକାଇ ବୋହୂଙ୍କୁ ଶ୍ୱଶୁର ଘରକୁ ନେବା ପରାମର୍ଶ ଦେଇଥିଲେ । ଥାନାରୁ ଆସିବା ପରେ ଶ୍ୱଶୁର ଘର ଲୋକେ ଗେଟ୍ରେ ତାଲା ପକାଇ ଫେରାର ହୋଇଯାଇଥିଲେ । ସାଲିନୀ ଘରକୁ ପ୍ରବେଶ କରିବା ପାଇଁ ରାତି ସାରା ଗେଟ୍ ସମ୍ମୁଖରେ ବସିଥିଲେ । କଲୋନୀ ବାସୀ ରାତିରେ ଏକୁଟିଆ ମହିଳା ରାସ୍ତାରେ ବସିବା ଦେଖି ପୋଲିସକୁ ଖବର ଦେଇଥିଲେ । ଥାନା ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ଜଣେ ମହିଳା କନେଷ୍ଟବଳଙ୍କୁ ତାଙ୍କ ପାଖରେ ନିଯୁକ୍ତ ରଖିଥିବାର ଦେଖିବାକୁ ମିଳିଛି । ଏପରିକି ଉକ୍ତ ଘରେ ରହୁଥିବା ଭଡ଼ାଟିଆ ମାନେ ମଧ୍ୟ ଭିତରେ ବନ୍ଦୀ ରହିଥିଲେ । ବର୍ତ୍ତମାନ ସୁଦ୍ଧା ସାଲିନୀ ନଖାଇ ନପିଇ ଘର ସମ୍ମୁଖରେ ବସିଥିବା ବେଳେ ଶ୍ୱଶୁର ଘର ଲୋକେ ଫେରାର ରହିଛନ୍ତି । ଧୀରେ ଧୀରେ ଘଟଣା ଜଣାପଡ଼ିବା ପରେ ତାଙ୍କ ଘର ସମ୍ମୁଖରେ ଭିଡ଼ ଲାଗୁଛି । ଏପରିକି ନାରୀ ସଂଘ, ମହିଳା କମିଶନ ସଦସ୍ୟା, ନାରୀନେତ୍ରୀ ଓ ସମାଜସେବୀ ସେଠାରେ ପହଞ୍ôଚ ଘଟଣା ସମ୍ପର୍କରେ ଜାଣିବା ସହ ସମାଧାନ ନିମନ୍ତେ ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ଜଣାପଡ଼ିଛି ।
