ସାଫ୍ ୨୦ ବର୍ଷରୁ କମ୍ ଫୁଟ୍ବଲ୍; ଆଜି ଭାରତ-ବାଂଲାଦେଶ ଫାଇନାଲ୍
ଭୁବନେଶ୍ୱର : ଆଜି ସାଫ୍-୨୦ ବର୍ଷରୁ କମ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ । ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରେ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ପଡ଼ୋଶୀ ବାଂଲାଦେଶ। ଉଭୟ ଟିମ୍ ବିଜୟ ହାସଲ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲିଗ୍ ପର୍ଯ୍ୟାୟରେ ଭାରତକୁ ବାଂଲାଦେଶ ହରାଇ ଥିଲା ତେବେ ପରାଜୟରେ ପ୍ରତିଶୋଧ ନେବାକୁ ଫାଇନାଲରେ ଚେଷ୍ଟା କରିବ ଭାରତ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦର୍ଶକଙ୍କ ଗହଣରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ସରିଛି ।
ସୂଚନା ଯେ, ବାଂଲାଦେଶ ୧୦ ପଏଂଟ ପାଇ ଏହି ୫ ଦଳୀୟ ପ୍ରତିଯୋଗିତାର ପ୍ରଥମ ସ୍ଥାନ ସହ ଫାଇନାଲ୍କୁ ଯାଇଛି । ଅନ୍ୟପକ୍ଷରେ ଭାରତ ୯ ପଏଂଟ୍ ସହ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଛି । ଏଥରର ଫାଇନାଲ୍ ମଧ୍ୟ ଗତ ଫାଇନାଲ୍ର ପୁନରାବୃତି ହେବ । କାରଣ ୨୦୧୯ରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ବାଂଲାଦେଶକୁ ହରାଇ ହିଁ ଭାରତ ବିଜେତା ହୋଇଥିଲା । ଗତ ମଙ୍ଗଳବାର ଖେଳାଯାଇ ଥିବା ଶେଷ ଦୁଇ ଲିଗ୍ ମ୍ୟାଚ୍ରୁ ବାଂଲାଦେଶ-ନେପାଳ ମୁକାବିଲା ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା । ଅନ୍ୟପକ୍ଷରେ ଭାରତ ଓ ମାଳଦୀପ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଭାରତ ୧-୦ ଗୋଲ୍ରେ ବିଜୟୀ ହୋଇଥିଲା । ଏହି ଗୋଲ୍ଟିକୁ ଗୁରକିରଟ ସିଂହ ୮୯ ମିନିଟ୍ରେ ଦେଇଥିଲେ ।
