ଆଜି ରୁଷିଆ-ୟୁକ୍ରେନ୍ ୪ର୍ଥ ପର୍ଯ୍ୟାୟ ଆଲୋଚନା, ସମାଧାନ ବାଟ ବାହାରିବା ନେଇ ଆଶା
ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ୧୮ ଦିନ ବିତିଯାଇଥିଲେ ବି ବଦଳୁନି ୟୁକ୍ରେନର ଚିତ୍ର । ରୁଷ ଆକ୍ରମଣରେ ୟୁକ୍ରେନର ବହୁ କ୍ଷତି ଭଟିଲାଣି । ୟୁକ୍ରେନର ସ୍ଥିତି ସଜାଡିବା ବଦଳରେ ବିଗୁଡିଛି । ପ୍ରତ୍ୟେକ ଦିନ ୟୁକ୍ରେନର ଭୟଙ୍କର ଚିତ୍ର ଦେଖୁଛି ସାରା ବିଶ୍ୱ । ପ୍ରତି ମୂହୁର୍ତରେ ଋଷ ଗୁଳିରେ ଲେଖା ଯାଇଛି ୟୁକ୍ରେନବାସୀଙ୍କ ନାମ । ଆଜି ମଧ୍ୟ ୟୁକ୍ରେନର ଏକ ମସଜିଦକୁ ଆକ୍ରମଣ କରିଛନ୍ତି ଋଷ ସୈନ୍ୟ । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ତିନି ଥର ଆଲୋଚନା ହୋଇସାରିଛି । ହେଲେ ବାହାରିନି କୌଣସି ସମାଧାନର ବାଟ ।
ଆଜି ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ଆଲୋଚନା ହେବ । ଯୁଦ୍ଧକୁ ନେଇ ଉଭୟ ଦେଶର ପ୍ରତିନିଧିମାନେ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି । ଭର୍ଚୁଆଲ ମୋଡରେ ଦୁଇ ଦେଶର ପ୍ରତିନିଧି ଆଲୋଚନା କରିବେ ବୋଲି ସୂଚନା ମିଳିଛି । ପୂର୍ବରୁ ଉଭୟ ଦେଶ ମଧ୍ୟରେ ୩ଥର ଆଲୋଚନା ହୋଇସାରିଥିବା ବେଳେ ଆଜି ଏହା ୪ର୍ଥ ପର୍ଯ୍ୟାୟ ପାଇଁ ଆଲୋଚନା ହେବ । ଆଜିର ଆଲୋଚନା ପରେ କିଛି ସମାଧାନ ବାଟ ବାହାରିବା ନେଇ ଆଶାକରାଯାଉଛି ।
