୧୬ରେ ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ!
ନୂଆଦିଲ୍ଲୀ : ଋଷ ଏବେ ତିନି ଆଡ଼ୁ ୟୁକ୍ରେନକୁ ଘେରିସାରିଲାଣି। ୟୁକ୍ରେନର ରାଜଧାନୀ କିଭ୍ ରେ ମାରାଥନ କୂଟନୈତିକ ସ୍ତର ଓ ସୈନ୍ୟ ସ୍ତରୀୟ ବୈଠକ ଜାରି ରହିଛି। ଆମେରିକାର ଗୁପ୍ତଚର ଏଜେନ୍ସି ର କହିବା କଥା, ଏବେ ଋଷ ଏକ ଲକ୍ଷ ୩୦ ହଜାର ଋଷୀ ସୈନିକଙ୍କୁ ୟୁକ୍ରେନର ସୀମା ଅଞ୍ଚଳରେ ଏକାଠି କରିଛି। କାରଣ ଚରମ ସୀମାରେ ପହଞ୍ଚିଲାଣି ଋଷ-ୟୁକ୍ରେନ୍ ବିବାଦ । ଯାହା ଏବେ ପୁରା ବିଶ୍ୱକୁ ଟେନସନ ଦେଲାଣି।
ଦୁଇ ଦେଶ ମଧ୍ୟରେ ତିକ୍ତତା ଏକପ୍ରକାର ଯୁଦ୍ଧ ଆଡକୁ ମୁହାଁଉଥିବା ବେଳେ ଏବେ ଆମେରିକାର ବଡ଼ ଦାବି ସମସ୍ତଙ୍କ ଛାତିରେ ଛନକା ପୂରାଇଦେଲାଣି। ଦୁଇ ଦେଶକୁ ନେଇ ବଡ଼ ଦାବି କରିଛି ଆମେରିକା । କେଉଁ ତାରିଖରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବ ତାହା ଦାବି କରିଛି ଆମେରିକା । ଆମେରିକାର ଗୁଇନ୍ଦା ସଂସ୍ଥାର କହିବା ଅନୁସାରେ, ୟୁକ୍ରେନକୁ ଘରିବା ପାଇଁ ମିଜାଇଲ୍, ଏୟାରଫୋର୍ସ, ନେଭି ଫୋର୍ସ ଏବଂ ସ୍ପେଶାଲ ଫୋର୍ସକୁ ସୀମାରେ ମୁତୟନ କରିସାରିଲାଣି ଋଷ । ଏହାଛଡା ଗତକାଲି ସମୁଦ୍ରରେ ୬ଟି ଯୁଦ୍ଧ ଯାହାଜକୁ ଛାଡିଛି ଋଷ ସେନା । ଏହି ଯୁଦ୍ଧ ଜାହାଜ ଗୁଡିକ ଜଳ ଏବଂ ସ୍ଥଳ ଭାଗରୁ ଆକ୍ରମଣ କରିବାରେ ସିଦ୍ଧହସ୍ତ ।
ହେଲେ ଋଷର ପ୍ରତିଟି ଗତିପଥ ଉପରେ ନଜର ରଖିଛି ଆମେରିକାର ଗୁଇନ୍ଦା ସଂସ୍ତା । ଆମେରିକାର ଗୁଇନ୍ଦା ସଂସ୍ଥା ଦାବି କରିଛି, ଆସନ୍ତା ୨ ଦିନ ମାନେ ଫେବୃୟାରୀ ୧୬ତାରିଖରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏହି ଖବର ସାମ୍ନାକୁ ଆସିବା ପରେ ୟୁକ୍ରେନର ଚିନ୍ତା ବଢିଯାଇଛି। ଗୋଟିଏ ପଟେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ୟୁକ୍ରେନକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛି ଆମେରିକା। ଗତ ରବିବାର ହିଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଦୀର୍ଘ ଘଣ୍ଟେ କାଳ କଥା ହୋଇ ଆଲୋଚନା କରିଛନ୍ତି । ଏହି କଥାବାର୍ତ୍ତାରେ ଜୋ-ବାଇଡେନ୍ ୟୁକ୍ରେନକୁ ଆଶା ଓ ଭରଷା ଦେଇଛନ୍ତି କି, ଯଦି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ତାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଜୋରଦାର ଆକ୍ରମଣ କରିବ। ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍ ମଧ୍ୟ ଋଷ ରାଷ୍ଟ୍ରପତିଙ୍କ ସହ ପ୍ରାୟ ୧ଘଣ୍ଟା କଥା ହୋଇଥିଲେ କିନ୍ତୁ ଏହି କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ।
