କରୋନା ମୁକାବିଲା ପାଇଁ ରୁଷିଆ ତିଆରି କଲା ବିଶ୍ବର ପ୍ରଥମ ’ନାଜାଲ ଭ୍ୟାକ୍ସିନ’
ମସ୍କୋ : କରୋନା ଭାଇରସ ମୁକାବିଲା ପାଇଁ ସମଗ୍ର ବିଶ୍ବବାସୀ ଚିନ୍ତିତ ଥିବା ବେଳେ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। କରୋନା ପାଇଁ ୨ ବର୍ଷରୁ ଊର୍ଦ୍ଧ୍ବ ହେବ ଗବେଷଣା ଓ ଅଧ୍ୟୟନ ଚାଲିଛି। କିନ୍ତୁ ସଫଳ ଅସ୍ତ୍ର ବାହାରି ପାରିନାହିଁ। କେବଳ ଟିକାକୁ ନେଇ ଆତ୍ମତୃପ୍ତିରେ ରହିବାକୁ ପଡୁଛି। କରୋନା ଟିକାକୁ ଅଧିକାଂଶ ବିକଶିତ ରାଷ୍ଟ୍ରଗୁଡ଼ିକ ବାହାର କରସାରିଛନ୍ତି। ଏହାରି ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆର କଂପାନୀ ’ସ୍ପୁଟନିକ’ ନାଜାଲ ଭ୍ୟାକ୍ସିନ ବାହାର କରିଛି। ରୁଷିଆ ତରଫରୁ କୁହାଯାଇଛି ଯେ, ବିଶ୍ବର ଏହା ହେଉଛି ପ୍ରଥମ ନାଜାଲ ଟିକା। ସ୍ପୁଟନିକ ଭ୍ୟାକସିନର ଏହା ହେଉଛି ନୂଆ ରୂପ।
ଦୀର୍ଘ ଦିନରୁ ରୁଷିଆ ଦ୍ବାରା ଏହି ନାଜାଲ ଭ୍ୟାକସିନ ପରୀକ୍ଷା ଚାଲିଥିଲା। କିଛି ଅନ୍ୟ ଦେଶ ମଧ୍ୟ ଏହାରି ଉପରେ କାମ କରୁଛନ୍ତି। କିନ୍ତୁ ସର୍ବପ୍ରଥମେ ସଫଳତା ପାଇଁଥିବା ଦେଶ ହେଉଛି ରୁଷିଆ। ସୂଚନାଯୋଗ୍ୟ, ନାଜାଲ ଭ୍ୟାକସିନ ନାକ ମାଧ୍ୟମରେ ଦିଆଯାଇଥାଏ। ଏହାକୁ ଇଟ୍ରାନେଜଲ ଭ୍ୟାକସିନ ମଧ୍ୟ କୁହାଯାଇଥାଏ, ଯାହାକି ମାଂସପେଶୀରେ ଇଞ୍ଜେକସନ ମାଧ୍ୟମରେ ଦିଆଯାଇଥାଏ। ଭାରତ ମଧ୍ୟ ନାଜାଲ ଭ୍ୟାକସିନ ଉତ୍ପାଦନ କରିବାକୁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ଏବାବଦରେ ସୂଚନା ପ୍ରଦାନ କରିଛନ୍ତି। ଏହି ଭ୍ୟାକସିନ ଭାରତ ବାୟୋଟେକ ଦ୍ବାରା ୱାଶିଙ୍ଗଟନ ୟୁନିଭରସିଟି ସ୍କୁଲ ଅଫ ମେଡିସିନ ସହିତ ମିଶି ପ୍ରସ୍ତୁତ କରାଯାଉଛି। ଇଞ୍ଜେକସନ ମାଧ୍ୟମରେ ଦିଆଯାଉଥିବା ଟିକା ତୁଳନାରେ ନାଜାଲ ଭ୍ୟାକସିନ ଅଧିକ ଭଲ ଫଳ ଆଣିବ ବୋଲି ଅନୁମାନ କରାଯାଉଛି।
