ଅପରେସନ ଉପଲବ୍ଧ ଜରିଆରେ ୧୪୫୯ ଦଲାଲ ଗିରଫ
ନୂଆଦିଲ୍ଲୀ : ରେଲୱେରେ ଟିକେଟ୍ ଦଲାଲ କରୁଥିବା ଲୋକଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରପିଏଫ। ଟିକେଟ ଦଲାଲ ରୋକିବା ପାଇଁ ରେଲୱେ ସୁରକ୍ଷା ବଳ ପକ୍ଷରୁ ମାର୍ଚ୍ଚ ମାସରେ ସାରା ଦେଶରେ ‘ଅପରେସନ ଉପଲବ୍ଧ’ କରାଯାଇଥିଲା। ଏହି ଅପରେସନରେ ରେଲୱେ ସୁରକ୍ଷା ବଳ ୧୪୫୯ ଦଲାଲଙ୍କୁ ଗିରଫ କରାଯାଇଛି। ଏହି ଦଲାଲମାନଙ୍କ ମଧ୍ୟରେ ଆଇଆରସିଟିସିର ୩୪୧ ଏଜେଣ୍ଟ ସାମିଲ ଅଛନ୍ତି।
ରେଲୱେର ବୟାନ ଅନୁସାରେ, ଟିକେଟ ଦଲାଲି ରୋକିବା ପାଇଁ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅପରେସନ ଉପଲବ୍ଧ’ ସଫଳତାର ସହ ଶେଷ ହୋଇଛି। ଗିରଫ ଆଇଆରସିଟିସିର ୩୪୧ ଏଜେଣ୍ଟଙ୍କ ବିରୋଧରେ ବ୍ଲାକ ଲିଷ୍ଟିଂ ପ୍ରକ୍ରିୟା ଜାରି ରହିଛି। ଏହାସହ ୩୬୬ ଆଇଆରସିଟିସି ଏଜେଣ୍ଟଙ୍କ ଆଇଡି ଏବଂ ୬୭୫୧ ବ୍ୟକ୍ତିଗତ ଆଇଡି ବ୍ଲକ କରାଯିବ।
ରେଲୱେର ବୟାନ ଅନୁସାରେ, ଚଳିତ ବର୍ଷ ଫେବ୍ରୁଆରୀରେ ଗିରଫ ଦଲାଲଙ୍କ ସଂଖ୍ୟାଠୁ ମାର୍ଚ୍ଚରେ ଗିରଫ ଦଲାଲଙ୍କ ସଂଖ୍ୟା ୩.୬୪ ଗୁଣ ଅଧିକ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦୀର୍ଘ ଦୂର ଯାଏଁ ଟ୍ରେନ ଯାତ୍ରା ପୁନଃ ଆରମ୍ଭ କରାଯିବା ପରେ ହୋଲି ଏବଂ ଅନ୍ୟ ପର୍ବ ଯୋଗୁଁ ଭିଡର ସମ୍ଭାବନା ରହିଥିଲା। ମାର୍ଚ୍ଚରେ ଟ୍ରେନ ରିଜର୍ଭେସନ ଅଧିକ ହେବା ସମ୍ଭାବନା ଥିଲା। ଏହି କାରଣରୁ ମାର୍ଚ୍ଚରେ ସାରା ଦେଶରେ ବିଭାଗ ପକ୍ଷରୁ ଏହି ଅଭିଯାନ କରାଯାଇଥିଲା। ଆରପିଏଫ ପକ୍ଷରୁ ଚଲାଯାଇଥିବା ଏହି ଅଭିଯାନରେ ଅବୈଧ ରୂପେ ନିଆଯାଇଥିବା ୬୫ ଲକ୍ଷରୁ ଅଧିକ ଟଙ୍କାର ଟିକେଟ ଜବତ କରାଯାଇଛି। ଆରପିଏଫର ଏହି କାର୍ଯ୍ୟାନୁଷ୍ଠାନ ପରେ ଯାତ୍ରୀଙ୍କ ପାଇଁ ଅଧିକ ସିଟ୍ ଉପଲବ୍ଧ ହେବ।
