ପରମାଣୁ ଯୁଦ୍ଧ ଆଡ଼କୁ ଅଗ୍ରସର ଋଷ ! ନ୍ୟୁକ୍ଲିୟର ଯୁଦ୍ଧ ଇଭାକୁଏସନ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦେଲେ ପୁଟିନ
କିଭ୍ : ରୁଷ-ୟୁକ୍ରେନ ଯୁଦ୍ଧ ୨୫ ଦିନରେ ପହଞ୍ଚିଲାଣି । ଗୋଟିଏ ପଟେ ଋଷ-ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ପରମାଣୁ ବମ ଆକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ନ୍ୟୁକ୍ଲିୟର ଯୁଦ୍ଧ ଇଭାକୁଏସନ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ବ୍ରିଟେନ୍ର ଅନେକ ଗଣମାଧ୍ୟମ ଟେଲିଗ୍ରାମ ଚ୍ୟାନେଲ୍ ମାଧ୍ୟମରେ ଏଭଳି ଖବର ପ୍ରକାଶ କରିଛନ୍ତି।
ବ୍ରିଟେନ୍ ମିଡିଆ ରିପୋର୍ଟ ଅନୁସାରେ, ଋଷ ପରମାଣୁ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି। ନ୍ୟୁକ୍ଲିୟର ଇଭାକୁଏସନ ପାଇଁ ପୁଟିନ କାହିଁକି ନିର୍ଦ୍ଦେଶ ଦେଲେ ସେନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ପୂର୍ବରୁ ଋଷ ସେନା ୟୁକ୍ରେନ୍ର ପଶ୍ଚିମାଞ୍ଚଳରେ ହାଇପରସୋନିକ ମିସାଇଲ୍ ଆକ୍ରମଣ କରିଥିଲା। ଏଥିରେ ୟୁକ୍ରେନ୍ ଯୁଦ୍ଧାସ୍ତ୍ର ଗଚ୍ଛିତ ରହିଥିବା ଅଣ୍ଡରଗ୍ରାଉଣ୍ଡ ଷ୍ଟୋର ଧ୍ୱଂଶ ହୋଇଯାଇଥିଲା। ଏଥିରେ ୧୧୨ ଜଣ ନିରିହ ଲୋକଙ୍କର ଜୀବନ ଯାଇଥିଲା ବୋଲି ୟୁକ୍ରେନ୍ ଦାବି କରିଛି।
ମିଡିଆ ରିପୋର୍ଟ ଅନୁସାରେ, ଋଷିଆର ବରିଷ୍ଠ ରାଜନୈତିକ ନେତାମାନଙ୍କୁ ମଧ୍ୟ ପରମାଣୁ ଯୁଦ୍ଧ ଉଦ୍ଧାର କାର୍ଯ୍ୟରେ ଭାଗ ନେବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଋଷର ସୁରକ୍ଷା ବର୍ତ୍ତମାନ ପାଇଁ ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦ୍ଭେଦ୍ ଉପରେ ନ୍ୟାସ୍ତ ରହିଛି। ତେଣୁ ସେ ଋଷ ସଂସଦର ଉଭୟ ସଦନକୁ ପରମାଣୁ ଯୁଦ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି।
