ୟୁକ୍ରେନରେ ଋଷର ଏୟାର ଷ୍ଟ୍ରାଇକ୍ : ୩୫ ମୃତ, ୧୩୦ରୁ ଉର୍ଦ୍ଧ୍ୱ ଆହତ
ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି ଋଷ ସେନା । ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୩୦ ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ୟୁକ୍ରେନ୍ର ଲୱିବ୍ର ଏକ ମିଲିଟାରୀ ବେସ୍କୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ୍ କରିଛି ଋଷିଆ ସେନା । ଗତ ୧୮ଦିନ ହେଲାଣି ୟୁକ୍ରେନ୍ ଉପରେ ଋଷ ସେନା ପକ୍ଷରୁ ଘନଘନ ଆକ୍ରମଣ ଜାରି ରହିଛି । ଦିନକୁ ଦିନ ଆକ୍ରମଣ ଜୋରଦାର ହେବାରେ ଲାଗିଛି ।
ନ୍ୟୁଜ୍ ଏଜେନ୍ସି ରୟଟର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ର ଲୱିବ୍ ନିକଟ ଏକ ମିଲିଟାରୀ ବେସ୍ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଛି । ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୃତ ଦେହ ଗୁଡିକ ମଧ୍ୟ ଚିହ୍ନିବା ମୁସ୍କିଲ ହୋଇପଡିଛି । ଏହା ବ୍ୟତିତ ୧୩୪ରୁ ଉର୍ଦ୍ଧ୍ୱ ଆହତ ମଧ୍ୟ ହୋଇଛନ୍ତି । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରିଜନିକୋଭ ମଧ୍ୟ ଟ୍ୱିଟ୍ କରି ଆକ୍ରମଣ ବାବଦରେ ସୂଚନା ଦେଇଛନ୍ତି । କହିଛନ୍ତି, ୟୁକ୍ରେନ୍ର ଲୱିବ୍ରେ ଥିବା ଶାନ୍ତି ସ୍ଥାପନା ଏବଂ ସୁରକ୍ଷା ଅନ୍ତରାଷ୍ଟ୍ରୀୟ ଭବନ ଉପରେ ଆକ୍ରମଣ କରିଛି । ବିଶେଷ କରି ଅନ୍ୟ ଦେଶର ଟ୍ରେନର୍ମାନେ ଏଠାରେ କାମ କରନ୍ତି । ଋଷ କହିବା ମୁତାବକ, ଯୁଦ୍ଧ କ୍ଷେତ୍ରର ବାହାରେ ମାନବୀୟ କରିଡର ନିର୍ମାଣ କରାଯିବ । କିନ୍ତୁ ୟୁକ୍ରେନ ଅଧିକାରୀମାନେ ରୁଷ ଉପରେ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇଥିବା ଅଭିଯୋଗ କରିଛନ୍ତି ।
