କ୍ରିକେଟ୍ରେ ଟେଲର ଯୁଗ ଶେଷ, ହୋମଗ୍ରାଉଣ୍ଡରେ ଖେଳିଲେ ଶେଷ ମ୍ୟାଚ୍
HAMILTON, NEW ZEALAND - APRIL 04: Ross Taylor of New Zealand leaves the field after being caught out during the third and final one-day international cricket match between the New Zealand and the Netherlands at Seddon Park on April 04, 2022 in Hamilton, New Zealand. (Photo by Fiona Goodall/Getty Images)
ହାମିଲଟନ୍ : ନ୍ୟୁଜିଲାଣ୍ଡ ପାଇଁ ନିଜର ଶେଷ ଇଂନିସ ଖେଳିସାରିଛନ୍ତି ରସ୍ ଟେଲର । ସୋମବାର ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାଇଁ ୧୪ ରନ୍ର ଇଂନିସ ଖେଳିଛନ୍ତି ଟେଲର । ଏହାପରେ ସମସ୍ତ ଦର୍ଶକ ଓ ଖେଳାଳି ଟେଲରଙ୍କୁ ଛିଡାହୋଇ ଶେଷ ଥର ପାଇଁ କ୍ରିକେଟ ପଡିଆରୁ ବିଦାୟ ଦେଇଥିଲେ । ଏହି ମ୍ୟାଚ୍ ଟେଲରଙ୍କ ୪୫୦ତମ ମ୍ୟାଚ୍ ଓ ନ୍ୟୁଜିଲାଣ୍ଡ ପାଇଁ ଶେଷ ମ୍ୟାଚ୍ ଥିଲା । ଏଥିସହ ଟେଲଟରଙ୍କ ଦୀର୍ଘ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି । ୩୮ ବର୍ଷୀୟ ବ୍ୟାଟ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ । ତେବେ ନିଜ ଘରୋଇ ଗ୍ରାଉଣ୍ଡ ସେଡନ ପାର୍କରେ ଶେଷ ମ୍ୟାଚ୍ ଖେଳି ବିଦାୟ ନେବାକୁ ନିଷ୍ପତି ନେଇଥିଲେ । ଜାତୀୟ ସଙ୍ଗୀନ ଗାନବେଳେ ଟେଲରଙ୍କ ସହିତ ତାଙ୍କର ପୁଅଝିଅ ମେକେଞ୍ଜି, ଜଂଟି ଓ ଆଡିଲେଡ୍ ଛିଡାହୋଇଥିଲେ ଓ ପରେ ନେଦରଲାଣ୍ଡ ଖେଳାଳି ତାଙ୍କୁ ଗାର୍ଡ ଅଫ୍ ଅନର୍ ଜଣାଇଥିଲେ ।
ଟେଲର ନ୍ୟୁଜିଲାଣ୍ଡ ପାଇଁ ନିଜର ପ୍ରଥମ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ ବର୍ଷ ୨୦୦୬ରେ ଖେଳିଥିଲେ ଓ ସମାନ ବର୍ଷ ପ୍ରଥମ ଟେଷ୍ଟ ମଧ୍ୟ ଖେଳିଥିଲେ । ପରେ ସେ ୧୧୨ଟି ଟେଷ୍ଟ ମ୍ୟାଚ୍ରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିବାବେଳେ, ୧୯ଟି ଶତକ ସହାୟତାରେ ୭,୬୮୩ ରନ୍ ସଂଗ୍ରହ କରିଛନ୍ତି । ଏଥିସହ ୨୩୬ ଦିନିକିଆ ମ୍ୟାଚ୍ ଖେଳି ୮,୫୯୩ ରନ୍ ନିଜ ନାମରେ କରିଛନ୍ତି । ୧୦୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ଓ ୧,୯୦୯ ରନ୍ ସଂଗ୍ରହ କରିଛନ୍ତି ।
ଟେଲରଙ୍କୁ ନିଜର ଶେଷ ଇଂନିସ ଖେଳିବାକୁ ସୋମବାର ଲମ୍ବା ପ୍ରତୀକ୍ଷା କରିବାକୁ ପଡିଥିଲା । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ଦ୍ୱିତୀୟ ୱିକେଟ ଯୋଡିରେ ମାର୍ଟିନ ଗୁପ୍ଟିଲ ଓ ୱିଲ ୟଙ୍ଗ୍ଙ୍କ ମଧ୍ୟରେ ୨୦୩ ରନ୍ର ଭାଗିଦାରୀ ହୋଇଥିଲା । ୩୯ ଓଭର ପର୍ଯ୍ୟନ୍ତ ଏହି ଭାଗିଦାରୀ ଚାଲିଥିଲା । ଗୁପ୍ଟିଲ ୧୦୬ ଓ ୟଙ୍ଗ ୧୨୦ ରନ୍ରେ ଆଉଟ୍? ହୋଇଥିଲେ ଓ ନ୍ୟୁଜିଲାଣ୍ଡ ୩୩୩-୮ ରନ୍ କରିଥିଲା । ପରେ ମାଟ୍ ହେନରୀ ୪ଟି ୱିକେଟ ହାତେଇବା ସହ ନେଦରଲାଣ୍ଡକୁ ୨୧୮ ରନ୍ରେ ଅଲଆଉଟ୍ କରିଥିଲା ନ୍ୟୁଜିଲାଣ୍ଡ । ଏଥିସହ ୧୧୫ ରନ୍ରେ ବିଜୟୀ ହୋଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଳିନସୁଇପ କରିଥିଲା । ନିଜର ଶେଷ ଇଂନିସର ୧୪ ରନ୍ ଭିତରେ ଟେଲର ଏକ ବିଶାଳ ଛକା ମାରିଥିଲେ । ପରେ ଭାବବିହ୍ୱଳ ହୋଇ ଦେଶକୁ ପ୍ରତିନିଧିତ୍ୱ କରିଥିବାରୁ ଗର୍ବିତ ବୋଲି କହିଥିଲେ ।
