ଚଳନ୍ତା ଟ୍ରେନରେ ଆରପିଏଫ୍ କନଷ୍ଟେବଳଙ୍କ ଗୁଳିମାଡ଼ : ୩ ଜଣ ଯାତ୍ରୀ ଓ ଜଣେ ଆରପିଏଫ ଏଏସ୍ଆଇ ମୃତ
ମୁମ୍ବାଇ : ଚଳନ୍ତା ଟ୍ରେନରେ ଗୁଳିମାଡ଼ । ମହାରାଷ୍ଟ୍ରର ପାଲଘର ନିକଟରେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ (୧୨୯୫୬) ଟ୍ରେନରେ ଜଣେ ଆରପିଏଫ୍ କନଷ୍ଟେବଳଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଯାତ୍ରୀ ଓ ଜଣେ ଆରପିଏଫ ଏଏସ୍ଆଇ ଅଛନ୍ତି ।

ଆଜି ଭୋର୍ ପ୍ରାୟ ୫ଟାରେ ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଘଟଣା ଘଟିଛି । ଫାୟାରିଂ ପରେ ଆରପିଏଫ୍ କନଷ୍ଟେବଳ ଜଣକ ଦହିସର ରେଲ୍ୱେ ଷ୍ଟେସନ ନିକଟରେ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ। ତେବେ ଅଭିଯୁକ୍ତ ଆରପିଏଫ୍ କନଷ୍ଟେବଳଙ୍କୁ ମୀରା ରୋଡ୍ ନିକଟରୁ ଗିରଫ କରାଯାଇ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ କନଷ୍ଟେବଳ ଜଣକ ମାନସିକ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫:୨୫ରେ ଟ୍ରେନ ନମ୍ବର ୧୨୯୫୬ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଏକ୍ସପ୍ରେସର ବି୫ କୋଚରେ ଜଣେ ଆରପିଏଫ୍ କନଷ୍ଟେବଳ ହଠାତ୍ ଜଣେ ଆରପିଏଫ ଏଏସ୍ଆଇ ଓ ଅନ୍ୟ ତିନି ଜଣ ଯାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସେ ଅନ୍ୟ ଯାତ୍ରୀମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିଥିଲେ । ଅଭିଯୁକ୍ତ ଆରପିଏଫ୍ କନଷ୍ଟେବଳ ଦହିସର ଷ୍ଟେସନ ନିକଟରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ । ପଶ୍ଚିମ ରେଳବାଇର ସୂଚନା ଅନୁଯାୟୀ ଅଭିଯୁକ୍ତ ଆରପିଏଫ୍ କନଷ୍ଟେବଳଙ୍କୁ ଅସ୍ତ୍ର ସହ ଗିରଫ କରାଯାଇଛି। ରେଳବାଇ ପୋଲିସ୍ ଓ ମହାରାଷ୍ଟ୍ର ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଟ୍ରେନ୍ ଦିନ ୦୨:୦୦ରୁ ଜୟପୁର ଜଙ୍କସନରୁ ବାହାରି ପରଦିନ ସକାଳ ୦୬:୫୫ରେ ମୁମ୍ବାଇ ସେଣ୍ଟ୍ରାଲରେ ପହଞ୍ଚିଥାଏ ।
