ଅଭାବନୀୟ ଘଟଣା : ବ୍ୟବଚ୍ଛେଦ ପାଇଁ ଥିବା ମୃତଦେହର ମୁହଁକୁ ଖାଇଦେଲା କୁକୁର
ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନାରେ ଅଭାବନୀୟ ଘଟଣା । ଶବଗୃହରେ ବ୍ୟବଚ୍ଛେଦ ପାଇଁ ରଖାଯାଇଥିଲା ମୃତଦେହ। କିନ୍ତୁ ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଯେ, ଗତ ଗୁରୁବାର ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳରେ ବୋଲେରୋ ଧକ୍କାରେ ରାଜେଶ ଯାଦବଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଶବଗୃହରେ ରଖାଯାଇଥିଲା। ରବିବାର ଦିନ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥା’ନ୍ତା। ହେଲେ ଶବର ମୁହଁକୁ କୁକୁର ଖାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଗତକାଲି ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ରଘୁନାଥପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ଉତ୍ତେଜନା ଥମିଥିଲା। ଏନେଇ ଡାକ୍ତରଖାନା ସୁପରିଣ୍ଟେଣ୍ଡେଣ୍ଟ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି, ଏମିତି ଘଟଣା କେବେ ହୋଇ ନ ଥିଲା। ଶବଗୃହରେ ଗ୍ରୀଲ ଲାଗିଛି। ଛୋଟ କୁକୁର ଭିତରକୁ ପଶି ଯାଇ ଏପରି କରିଥିବ। ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି ଘଟଣାର ପୁନରାବୃତ୍ତି ଯେପରି ନ ହେବ, ସେନେଇ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ମୃତଦେହର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।
