ରୋଟାରୀର ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ଆଜିର ଝିଅ ଆସନ୍ତା କାଲିର ମା : କନ୍ୟାଟିଏ ସୁସ୍ଥ ସମାଜ ଗଠନ କରିପାରେ
ଜଳେଶ୍ୱର : ସମାଜରେ କନ୍ୟାଟିଏ ସୁରକ୍ଷିତ ରହିଲେ ଆସନ୍ତାକାଲିର ମା ସୁସ୍ଥ ସମାଜ ଗଠନ କରିପାରେ ବୋଲି ଆନ୍ତର୍ଜାତୀକ ବାଳିକା ଦିବସ ଅବସରରେ ଦୀପଶିକ୍ଷା ଟ୍ରଷ୍ଟ ଓ ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ଏକ ସଚେତନତା କର୍ମଶାଳାରେ ମତପ୍ରକାଶ ପାଇଛି । ମୂରଲୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏପରି ଏକ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ଡା. ଦୀପ୍ତିମୟୀ ମହାପାତ୍ର ଅଧ୍ୟକ୍ଷତା କରି ଝିଅ ସଶକ୍ତ ଓ ସୁସ୍ଥ ରହିଲେ ସାମାଜିକ ସନ୍ତୁଳନ ରକ୍ଷା ହୋଇ ପାରିବ ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଏସ୍ଡିପିଓ ଦିଲ୍ଲିପ କୁମାର ସାହୁ ଯୋଗ ଦେଇ ନାବାଳିକା କନ୍ୟାର ସୁରକ୍ଷା ଲାଗି ପିତାମାତା ଓ ପରିବାର ଅଧିକ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । କନ୍ୟାରତ୍ନର ସୁରକ୍ଷାଲାଗି ଆଇନ୍ଗତ ବ୍ୟବସ୍ଥା କଡାକଡି ଥିବା ବେଳେ ଏହାର ସଦ୍ଉପଯୋଗଲାଗି ଆହ୍ୱାନ ଦେଇଥିଲେ । ପ୍ରତିଦିନ ସମଗ୍ର ଦେଶରେ ନିର୍ଯ୍ୟାତନାର ଶିକାର ହେଉଥିବା ନା ବାଳିକାଙ୍କ ମଧ୍ୟରୁ ୩୦ ପ୍ରତିଶତ ରକ୍ତ ସମ୍ପର୍କୀୟ, ୬୦ ପ୍ରତିଶତ ନିକଟ ସମ୍ପର୍କୀୟ ଓ ଅନ୍ୟ ୧୦ପ୍ରତିଶତ ଆଗନ୍ତୁକ ମାନଙ୍କ ଦ୍ୱାରା ହୋଇଥାଏ ବୋଲି ସେ ଏକ ସର୍ବେକ୍ଷଣରୁ ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟ ବକ୍ତାଭାବେ ଦୀପଶିକ୍ଷା ଟ୍ରଷ୍ଟର ଅଧ୍ୟକ୍ଷ ଡା. ବେଣୁଧର ହୁଇ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଝିଅମାନଙ୍କ ସୁରକ୍ଷା ୧୯୯୫ରେ ବେଜିଂଠାରେ ଆଲୋଚନା ଚକ୍ର ହୋଇଥିବା ବେଳେ ଭାରତରେ ଜୁଭେନିୟର ବୋର୍ଡ ଓ ପୋସ୍କଭଳି କଡା ଆଇନ୍ ପ୍ରଣୟନ ହୋଇଛି । ଏଥିଲାଗି ଜନସଚେତନତା ଆବଶ୍ୟକତା ସଂପର୍କରେ କହିଥିଲେ । ଅତିଥିଭାବେ ବିଜୟ କାମିଳା ଓ ରୋଟାରୀ କ୍ଲବର ସଂପାଦକ ସତ୍ୟନାରାୟଣ ସିଂ, ରାଜେଶ ଖଟୁଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରଭାତ କୁମାର ସାହୁ ମଂଚ ଆହ୍ୱାନ କରିଥିବା ବେଳେ ପ୍ରଫୁଲ୍ଲ କୁମାର ଦାସ ମଂଚ ସଞ୍ଚାଳନ କରିଥିଲେ । ଶେଷରେ ସତ୍ୟସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
