ଦ୍ୱିତୀୟ ଦିନିକିଆରେ ଦଳକୁ ଫେରିଲେ ରୋହିତ, ବାଦ ପଡିବେ ଏହି ଖେଳାଳି
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଜି ଖେଳାଯିବ । ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହି ବିଜୟ ସହ ଭାରତର ମନୋବଳ ବେଶ ଉର୍ଦ୍ଧ୍ୱରେ ରହିଛି । ଦ୍ୱିତୀୟ ଦିନିକିଆ ଜିତି ଭାରତ ସିରିଜ୍ ବିଜୟ ଲକ୍ଷ୍ୟରେ ଥିବା ବେଳେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତନ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ମୁକାବିଲା ବିଶାଖାପଟନମରେ ଅପରାହ୍ନ ୧ଟା ୩୦ରେ ଖେଳାଯିବ । ଦ୍ୱିତୀୟ ମୁକାବିଲାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଉପରେ ସଭିଙ୍କ ନଜର ରହିଛି । ଭାରତୀୟ ଦଳରେ ପରିବର୍ତନ ହେବା ନିଶ୍ଚିତ । କାରଣ ନିୟମିତ ଅଧିନାୟକ ରୋହିତ ଶର୍ମା ଦଳକୁ ପ୍ରତ୍ୟାବର୍ତନ କରୁଛନ୍ତି । ପାରିବାରିକ କାରଣରୁ ସେ ପ୍ରଥମ ଦିନିକିଆ ଖେଳିନଥିଲେ । ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକତ୍ୱ ସମ୍ଭାଳିଥିଲେ । ରୋହିତ ଦଳକୁ ଫେରିବା ପରେ ଏହା ଦେଖିବା ରୋଚକ ହେବ ଯେ ଚୂଡାନ୍ତ ଏକାଦଶରୁ କେଉଁ ଖେଳାଳିକୁ ବାଦ୍ ଦିଆଯାଇପାରେ । ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିଷନଙ୍କ ମଧ୍ୟରୁ କୌଣସି ଜଣେ ଖେଳାଳିଙ୍କୁ ବାହାରେ ବସିବାକୁ ପଡିପାରେ ।
ଏମିତିରେ ସୂର୍ଯ୍ୟଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯିବାର ସମ୍ଭାବନା ଅଧିକ ରହିଛି । କାରଣ ସେ ଦିନିକିଆ କ୍ରିକେଟ୍ରେ ଲଗାତାର ବିଫଳ ହେଉଛନ୍ତି । ଅନ୍ୟପଟେ ଇଶାନ କିଷନ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ମାହିର । ସେ କିଛି ମାସ ପୂର୍ବେ ଦିନିକିଆରେ ଦ୍ୱିଶତକ ଅର୍ଜନ କରିଥିଲେ । ଏମିତିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରିନଥିଲେ । ସେ ପ୍ରଥମ ବଲ୍ରେ ହିଁ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ସେହିପରି ଓପନିଂ ବ୍ୟାଟର ଇଶାନ କିଷନଙ୍କ ପ୍ରଦର୍ଶନ ମଧ୍ୟ ନିରାଶଜନକ ରହିଥିଲା । ଇଶାନ ତିନି ରନ କରି ପାଭିଲିୟନ ଫେରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କୁ ଶ୍ରେୟସଙ୍କ ସ୍ଥାନରେ ନମ୍ବର ୪ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଲା । ହେଲେ ସେ ପ୍ରଥମ ବଲ୍ରେ ହିଁ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।
