ଆଜି ବିରାଟଙ୍କ ରେକର୍ଡ଼ ଭାଙ୍ଗି ପାରନ୍ତି ରୋହିତ, ମାତ୍ର ଏତିକି ରନ୍ ଆବଶ୍ୟକ
କୋଲକାତା : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍ ସିରିଜର ଶେଷ ମ୍ୟାଚ୍ ଆଜି ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯିବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସିରିଜ୍ ଜିତି ସାରିଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି କିୱି ଦଳକୁ ୩-୦ ରେ ହରାଇବାକୁ ଚାହୁଁଛି । ଏହି ମ୍ୟାଚରେ ସବୁଠୁ ଅଧିକ ନଜର ରୋହିତ ଶର୍ମାଙ୍କ ଉପରେ ରହିବ । ସ୍ଥାୟୀ ଅଧିନାୟକ ଭାବରେ ପ୍ରଥମ ସିରିଜରେ ଟିମ୍ ଇଣ୍ଡିଆକୁ ବିଜୟୀ କରିଥିବା ରୋହିତଙ୍କୁ ଟି-୨୦ ଆନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି । ରୋହିତ ଶର୍ମା ଏପର୍ଯ୍ୟନ୍ତ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ୩୧୪୧ ରନ୍ ସଂଗ୍ରହ କରିଛନ୍ତି । ସେ ଟି-୨୦ ରେ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର । ରୋହିତଙ୍କ ଆଗରେ ଟି-୨୦ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୩୨୨୭ ରନ୍ ସଂଗ୍ରହ କରିଛନ୍ତି । ଅର୍ଥାତ୍ ଭାରତ ପାଇଁ ସର୍ବାଧିକ ଟି -୨୦ ରନ୍ ସ୍କୋର କରିବାରେ ରୋହିତ ଶର୍ମା ବିରାଟଙ୍କଠାରୁ ମାତ୍ର ୮୭ ରନ୍ ଦୂରରେ ଅଛନ୍ତି । ବର୍ତ୍ତମାନ ବିରାଟ ଏହି ସିରିଜରେ ଖେଳୁ ନାହାଁନ୍ତି ଏବଂ ରୋହିତ ଜବରଦସ୍ତ ଫର୍ମରେ ଅଛନ୍ତି, ଆଶା କରାଯାଇପାରେ ଯେ ଆଜିର ମ୍ୟାଚ୍ରେ ରୋହିତ ନିଜ ନାମରେ ଏହି ରେକର୍ଡ କରିପାରିବେ ।
ନ୍ୟୁଜିଲ୍ୟାଣ୍ଡର ଓପନର୍ ମାର୍ଟିନ୍ ଗୁପ୍ଟିଲ ଭାରତ ବିପକ୍ଷ ଶେଷ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ମ୍ୟାଚରେ ସର୍ବାଧିକ ରନ୍ ସ୍କୋର କରି ଶୀର୍ଷରେ ଅଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା । ବର୍ତ୍ତମାନ ମାର୍ଟିନ ଗୁପ୍ଟିଲ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ୩୨୪୮ ରନ୍ କରିଛନ୍ତି । ଗୁପ୍ଟିଲଙ୍କ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ତାଲିକାରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ମାର୍ଟିନ ଗୁପ୍ଟିଲ ନ୍ୟୁଜିଲାଣ୍ଡ ପାଇଁ ୧୧୧ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ହାରାହାରି ୩୨ ରେ ୩୨୪୮ ରନ୍ କରିଛନ୍ତି ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୬ କରିଛନ୍ତି । ତାଙ୍କ ନାମରେ ମଧ୍ୟ ୨ ଟି ଶତକ ଅଛି । ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଛକା (୧୬୧) ମାରିବାରେ ଗୁପ୍ଟିଲ ପ୍ରଥମ ସ୍ଥାନରେ ଅଛନ୍ତି । ବିରାଟ ମାତ୍ର ୯୫ ଟି ମ୍ୟାଚର ୮୭ ଟି ଇନିଂସରେ ୩୨୨୭ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ଆଭରେଜ ୫୨ ରନ୍ ହୋଇଛି । ସେ ଟି -୨୦ ଇଣ୍ଟରନ୍ୟାସନାଲରେ ଗୋଟିଏବି ଶତକ କରିପାରି ନାହାଁନ୍ତି କିନ୍ତୁ ତାଙ୍କ ନାମରେ ୨୯ ଟି ଅର୍ଦ୍ଧଶତକ ରହିଛି । ରୋହିତ ଶର୍ମା ଭାରତ ପାଇଁ ୧୧୮ ଟି -୨୦ ଖେଳିଛନ୍ତି । ଏଥିରେ ସେ ହାରାହାରି ୩୩ ରେ ୩୧୪୧ ରନ୍ କରିଛନ୍ତି ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୯ ରହିଛି । ରୋହିତ ଇଣ୍ଟରନ୍ୟାସନାଲ ଟି-୨୦ ରେ ଚାରି ଶତକ ହାସଲ କରିଛନ୍ତି । ସେ ଛକା ମାରିବା ମାମଲାରେ ଗୁପ୍ଟିଲଙ୍କ ପରେ ଅର୍ଥାତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ୧୪୭ ଟି ଛକା ମାରି ସାରିଛନ୍ତି ।
