ପାକିସ୍ତାନକୁ ହରାଇ ଇତିହାସ ରଚିଲେ ରୋହିତ, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ : ଏସିଆ କପରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର ଭାରତ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଛନ୍ତି । ପାକିସ୍ତାନକୁ ପରାସ୍ତ କରି ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଓ ସେ ବିରାଟ କୋହଲିଙ୍କ ସହ ବରାବର କରିନେଇଛନ୍ତି ।
ଭାରତୀୟ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ବଡ଼ ଇନିଂସ ଖେଳିପାରିନଥିଲେ । ସେ ଗୋଟିଏ ଛକା ସମେତ ୧୨ ରନ୍ ସ୍କୋର କରିଥିଲେ । ମାତ୍ର ୧୨ ରନ୍ କରିବା ମାତ୍ରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ ବନି ଯାଇଛନ୍ତି । ସେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇ ଦେଇଛନ୍ତି । ୧୩୩ଟି ମ୍ୟାଚରେ ରୋହିତ ଶର୍ମା ୩,୪୯୯ ରନ୍ କରିଛନ୍ତି । ଏଥି ସହିତ ମାର୍ଟିନ ଗୁପଟିଲ ୧୨୧ଟି ମ୍ୟାଚରେ ୩,୪୯୭ ରନ୍ କରିଛନ୍ତି ।
ସେହିପରି ବିରାଟ କୋହଲି ୫୦ଟି ମ୍ୟାଚରେ ଅଧିନାୟକ ଭାବରେ ଭାରତ ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ଟିମ୍ ଇଣ୍ଡିଆ ୩୦ଟି ମ୍ୟାଚ୍ ଜିତିଛି । ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିବା ମାତ୍ରେ ରୋହିତ ଶର୍ମା, କୋହଲିଙ୍କ ବରାବର କରିନେଇଛନ୍ତି। ରୋହିତ ଶର୍ମା ୩୬ଟି ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ସେ ୩୦ଟି ମ୍ୟାଚ ଜିତିଥିବାବେଳେ ୬ଟି ମ୍ୟାଚରେ ହାରିଛନ୍ତି । ରୋହିତ ବର୍ତ୍ତମାନ ବିରାଟ କୋହଲିଙ୍କ ସହ ଟି-୨୦ କ୍ରିକେଟର ମିଳିତ ଦ୍ୱିତୀୟ ସଫଳ ଅଧିନାୟକ ହୋଇପାରିଛନ୍ତି । ଭାରତ ପାଇଁ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି, ଯାହାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୪୧ଟି ଟି-20 ମ୍ୟାଚ୍ ଜିତିଛି ।
ଏସିଆ କପ୍ ମ୍ୟାଚରେ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଭାରତକୁ ଜିତିବା ପାଇଁ ପାକିସ୍ତାନ ୧୪୮ ରନର ଲକ୍ଷ୍ୟ ମିଳିଥିଲା, ଯାହା ଭାରତ ୫ ୱିକେଟ୍ ହରାଇ ହାସଲ କରିଥିଲା । ଟିମ୍ ଇଣ୍ଡିଆ ପାଇଁ ଭୁବନେଶ୍ୱର କୁମାର ୪ଟି, ହାର୍ଦ୍ଦିକ ପାଣ୍ଡ୍ୟା ୩ ୱିକେଟ୍ ନେଇଛନ୍ତି । ଏହି ସମୟରେ ଅର୍ଶଦୀପ ସିଂ ୨ ୱିକେଟ୍ ନେଇଛନ୍ତି ଓ ଗୋଟିଏ ୱିକେଟ୍ ଆବେଶ ଖାନଙ୍କ ଖାତାକୁ ଯାଇଥିଲା । ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ଭାରତ ପାଇଁ ୩୫-୩୫ ରନ୍ ସଂଗ୍ରହ କରିଥିଲେ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତକୁ ବିଜୟ ପ୍ରଦାନ କରିଥିଲେ ।
