ରୋଡ୍ ରେଜ୍ ମାମଲା: ଆତ୍ମସମର୍ପଣ କରିବାକୁ ସମୟ ମାଗିଲେ ସିଦ୍ଧୁ
Navjot Singh Sidhu
ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆତ୍ମସମର୍ପଣ କରିବାକୁ ଆଉ କିଛି ସପ୍ତାହ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସେ କୋର୍ଟରୁ ଅତିରିକ୍ତ ସମୟ ମାଗିଛନ୍ତି। ଜଷ୍ଟିସ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇ ସିଦ୍ଧୁଙ୍କ ଓକିଲ ଅଭିଷେକ ମନୁ ସିଂଘଭି ସ୍ୱାସ୍ଥ୍ୟଗତ କାରଣରୁ ସରେଣ୍ଡର କରିବାକୁ ସିଦ୍ଧୁଙ୍କୁ ଅତିରିକ୍ତ ସମୟ ଦେବାକୁ ଅନୁରୋଧ କରିଛନ୍ତି । ସିଂଘଭୀଙ୍କୁ ଏ ସମ୍ପର୍କରେ ଏକ ପିଟିସନ ଦାୟର କରିବା ସହ ଏହାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସିଦ୍ଧୁଙ୍କୁ ଶୁକ୍ରବାର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ପାଇଁ ଗୋଟିଏ ସପ୍ତାହ ସୁପ୍ରିକୋର୍ଟଙ୍କୁ ସମୟ ମାଗିଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କ ତରଫରୁ ତାଙ୍କ ଓକିଲ ଅଭିଷେକ ମନୁ ସିଂଘବି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ସମୟ ମାଗିଛନ୍ତି ।
ସୂଚନା ଯେ, ୧୯୮୮ରେ ସିଦ୍ଧୁ ପଟିଆଲାରେ ରାସ୍ତା ମଝିରେ ଗାଡି ପାର୍କିଂ କରିଥିଲେ । ଏହି ସମୟରେ ଗୁରୁନାମ ସିଂ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର୍ ରାସ୍ତାରୁ ହଟାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ। ଏଥିରେ ବୃଦ୍ଧ ଜଣଙ୍କ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ବୃଦ୍ଧଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ସିଦ୍ଧୁ କହିଥିଲେ। ଏହି ଘଟଣାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂଙ୍କ ବିରୋଧରେ ପଟିଆଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ୧୯୯୯ରେ ସିଦ୍ଧୁଙ୍କୁ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ କରିଥିଲେ, କିନ୍ତୁ ୨୦୦୬ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସିଦ୍ଧୁ ସେତେବେଳେ ଅମୃତସରର ଜଣେ ଭାଜପା ଏମ୍ପି ଥିଲେ। ଦଣ୍ଡ ପରେ ସେ ଇସ୍ତଫା ଦେଇଥିଲେ। ଏହା ପରେ ସିଦ୍ଧୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ୨୦୧୮ରେ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସତ, ମାତ୍ର ଜେଲ୍ ଦଣ୍ଡ ନ ଦେଇ କେବଳ ମାତ୍ର ଏକ ହଜାର ଟଙ୍କା ଜୋରିମନା ଲଗାଇଥିଲେ। ଏହା ପରେ ପୀଡିତଙ୍କ ପରିବାର ପକ୍ଷରୁ ଏହା ଉପରେ ଏକ ରିଭ୍ୟୁ ପିଟିଶନ୍ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୨୩ ଅନୁଯାୟୀ, ଏହି ଅପରାଧର ଦଣ୍ଡ ସର୍ବାଧିକ ଏକ ବର୍ଷ ଜେଲ କିମ୍ବା ୧୦୦୦ ଟଙ୍କା କିମ୍ବା ଉଭୟ ଅଟେ।
