ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଦେଶକୁ ଋଷି ସୁନକଙ୍କ ପ୍ରଥମ ସମ୍ବୋଧନ, ଜାଣନ୍ତୁ କ’ଣ ଦେଲେ ପ୍ରତିଶ୍ରୁତି ?
ଲଣ୍ଡନ: ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ (୪୨)। ସେ ବ୍ରିଟେନର ସର୍ବକନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ସୁନକ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟେନ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି। ଏହାକୁ ସୁଧାରିବା ପାଇଁ ସୁନକ ପ୍ରୟାସ କରିବେ ବୋଲି କହିଛନ୍ତି। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।
ଆମ ଦେଶ ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ସ୍ଥିତିରୁ ମୁକୁଳିବା ପାଇଁ ମୁସ୍କିଲ ନିଷ୍ପତ୍ତି ନେବାକୁ ପଡିବ। ୟୁକ୍ରେନ ଏବଂ ରୁଷ ଯୁଦ୍ଧ ସମଗ୍ର ଦୁନିଆର ବଜାରକୁ ଅସ୍ଥିର କରି ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ଦେଶର ଆର୍ଥିକ ସ୍ଥିତି ସୁଧାରିବା ଦିଗରେ କାମ କରିବା କିଛି ଭୁଲ୍ ନଥିଲା। ମୁଁ ତାଙ୍କର ପ୍ରଶଂସା କରୁଛି। ମାତ୍ର ସେଥିରେ କିଛି ତ୍ରୁଟି ରହିଥିଲା। ଉଦ୍ଦେଶ୍ୟ ଖରାପନଥିଲା, ତଥାପି ଟ୍ରସଙ୍କ ନିଷ୍ପତ୍ତି ଭୁଲ୍ ଥିଲା ବୋଲି ବ୍ରିଟେନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି। ସେହିପରି ଆମ ଦେଶ କରୋନା ସଙ୍କଟ ପରେ ଗୁରୁତର ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଛି। ଆଉ ରୁଷ ଏବଂ ୟୁକ୍ରେନ ଲଢେଇ ସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ତେଣୁ ଦେଶବାସୀ କଠିନ ନିଷ୍ପତ୍ତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଏହି ସରକାର ସବୁ ସ୍ତରରେ ସ୍ଥିତିର ସୁଧାର ପାଇଁ କାମ କରିବେ। ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନିକଟରେ କୃତଜ୍ଞ। ସେ ନିଜର କାର୍ଯ୍ୟକାଳରେ ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଛନ୍ତି।
ମୁଁ ଦୈନନ୍ଦିକ କାମ କରି ସବୁ ପ୍ରତିଶ୍ରୁତିକୁ ପୂରଣ କରିବ। ବିଶ୍ୱାସ ହାସଲ ହୋଇଛି। ମୁଁ ମଧ୍ୟ ଏହାକୁ ସବୁବେଳେ ବଜାୟୀ ରଖିବି। ଏହି ସମର୍ଥନ ସମସ୍ତଙ୍କର ଓ ସମସ୍ତଙ୍କୁ ଏକାଠି ରଖିବାକୁ ମିଳିଛି। ଆମ ଘୋଷଣାପତ୍ର ଆମ ହୃଦୟରେ ରହିଛି। ତୁରନ୍ତ ଦେଶ ଭୋଗୁଥିବା ଅର୍ଥନୀତିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ଆଗକୁ ଆସିବ। ଆମେ କେବେ ହେଲେ ଆମର ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଋଣବୋଝ ରଖି ପାରିବୁ ନାହିଁ। ଆମେ ଯାହା ଋଣ କରିଛୁ, ତା’କୁ କାହିଁକି ଆମ ପରବର୍ତ୍ତୀ ପିଢ଼ି ଭରଣ କରିବେ? ଶକ୍ତିଶାଳୀ ନ୍ୟାଶନାଲ ହେଲ୍ଥ କେୟାର ବ୍ୟବସ୍ଥା, ସ୍କୁଲ, ସୁରକ୍ଷିତ ରାସ୍ତା, ସେନା ବାହିନୀକୁ ସମର୍ଥନ ଓ ନିଯୁକ୍ତି ସୃଷ୍ଟି ଉପରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବୁ। ଅଖଣ୍ଡତା, ପ୍ରଫେସନାଲିଜିମ ଓ ଉତ୍ତରଦାୟିତ୍ୱ ସବୁ ସ୍ତରେ ରହିବ। ମୁଁ ଆମ ଦେଶକୁ ଏହି ସବୁ କାମରେ ଏକାଠି କରିବି।
ସୂଚନା ଯେ, ବ୍ରିଟେନର ୨୧୦ ବର୍ଷର ଇତିହାସରେ ଋଷି ସୁନକ ଦେଶର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ରହିବେ। କଞ୍ଜରଭେଟିଭ୍ ପାର୍ଟିର ନେତାଙ୍କୁ ସମ୍ବୋଧିତ କରି ସୁନକ କହିଛନ୍ତି, ପ୍ରଧାନମନ୍ତ୍ରୀ ହୋଇଥିବାରୁ ନିଜକୁ ଗୌରବାନ୍ଵିତ ମନେ କରୁଛି। ବ୍ରିଟେନରେ ରହି ଯାହା କିଛି ହାସଲ କରିଛି, ତାକୁ ଫେରାଇବାର ମୋ ପାଇଁ ଏହା ଉପଯୁକ୍ତ ସମୟ। ସେ ମାନିଛନ୍ତି ଯେ, ବ୍ରିଟେନ ଅନେକ ଆହ୍ଵାନ ଦେଇ ଗତି କରୁଛି। ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି, ସେ ସବୁ ପୂରଣ କରିବାକୁ ପ୍ରୟାସ କରିବୁ ବୋଲି ଋଷି ସୁନକ କହିଛନ୍ତି। ସେହିପରି ବୋରିସ ଜନସନ ପ୍ରଧାନମନ୍ତ୍ରୀ ଥିବା ବେଳେ ସୁନକ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଦେଶର ବ୍ୟବସାୟ ଓ ଲୋକଙ୍କ ସୁରକ୍ଷା ପାଇଁ ସେ ସବୁ କିଛି କରିଥିଲେ ବୋଲି କହିଛନ୍ତି। ଅନେକ ପ୍ରକାରର ଯୋଜନା ସେତେବେଳେ ପ୍ରଣୟନ କରାଯାଇଥିଲା। ଏବେ ମଧ୍ୟ ଲୋକଙ୍କୁ ସମସ୍ୟା ମଧ୍ୟରୁ ମୁକୁଳାଇବା ପାଇଁ ଅନେକ ଯୋଜନା ଲାଗୁ ହେବ ବୋଲି ଋଷି ସୁନକ କହିଛନ୍ତି।
