ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଋଷି ସୁନକ, ଦାୟିତ୍ୱ ହସ୍ତାନ୍ତର କଲେ ରାଜା ଚାର୍ଲସ ତୃତୀୟ
ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ନବନିର୍ବାଚିତ କଞ୍ଜର୍ଭେଟିଭ୍ ପାର୍ଟି ନେତା ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସେହିପରି ଆଜି ଲିଜ ଟ୍ରସ ମଧ୍ୟ ରାଜା ଚାର୍ଲସ ତୃତୀୟଙ୍କୁ ଭେଟିଥିଲେ। ଏହି ସମୟରେ ସେ ନିଜର ଇସ୍ତଫାପତ୍ର ରାଜାଙ୍କୁ ଦେଇଥିଲେ। ଏଥିସହ ନିଜର ବିଦାୟୀ ଭାଷଣରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସଫଳତା କାମନା କରିଥିଲେ।
ବକିଂହାମ ପ୍ୟାଲେସ୍ର ରୁମ୍ ନମ୍ବର ୧୮୪୪ ରେ ଆଜି ସୁନକ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜା ଚାର୍ଲ୍ସ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ନିମନ୍ତ୍ରଣ ପରେ ଋଷି ସୁନାକ ଔପଚାରିକ ଭାବେ ବ୍ରିଟେନର ୫୭ ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ହେବାରେ ସେ ହେଉଛନ୍ତି ତୃତୀୟ ବ୍ୟକ୍ତି। ୪୨ ବର୍ଷୀୟ ଋଷି ସୁନାକ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ଏହାଛଡା ସେ ଗତ ୨୦୦ ବର୍ଷରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ।
ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ଗତ ମଙ୍ଗଳବାର ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ। ନିୟମ ଅନୁସାରେ ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସେହି ଅନୁସାରେ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ୨୦୦ ବର୍ଷର ଇତିହାସ ମଧ୍ୟରେ ସୁନକ ସବୁଠାରୁ କନିଷ୍ଠ ରାଜନେତା ଭାବେ ବ୍ରିଟେନର ଶାସନ ଭାର ସମ୍ଭାଳିବାର ରେକର୍ଡ କରିଛନ୍ତି। ଦାୟିତ୍ୱ ନେବା ପରେ ସେ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆମ ଦେଶ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରିଛୁ। କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ଆଗକୁ ଆସିବ।”
ସୁନକ ପୂର୍ବରୁ ବୋରିସ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ବିବାଦ କାରଣରୁ ଜନସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହୋଇଥିଲା। ସୁନକଙ୍କୁ ହରାଇ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ। କିନ୍ତୁ ଶପଥ ନେବାର ୪୫ ଦିନ ପରେ ସେ ଦେଶର ଅର୍ଥନୀତି ଓ ନିଜର ପ୍ରତିଶ୍ରୁତି ପୂରଣ କରି ନ ପାରିବାରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବା ପରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି।
