ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଔପଦା ଶାଖାରେ ସଭାପତି ଓ ସମ୍ପାଦକଙ୍କ ସମୀକ୍ଷା
ଔପଦା : ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଔପଦା ଶାଖା କାର୍ଯ୍ୟାଳୟରେ ସଭାପତି ଗଣେଶ ପ୍ରସାଦ ମହାପାତ୍ର ଓ ସମ୍ପାଦକ ଅଶୋକ କୁମାର ଦାସ ପହଞ୍ଚି ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ । ସଭାପତି ଓ ସମ୍ପାଦକ ମୁଖ୍ୟତଃ ବିଭିନ୍ନ ସମବାୟ ସମିତିର ସମ୍ପାଦକ ସଭାପତିମାନଙ୍କୁ କୃଷି ଋଣ ଆଦାନପ୍ରଦାନ ଓ ସମିତିର ପ୍ରତି ବିଷୟକୁ କମ୍ପ୍ୟୁଟରରେ ପଞ୍ଜିକରଣ କରିବା ପାଇଁ ଗୁରୁତ୍ୱ ଦେଇଥିବା ବେଳେ ଔପଦା ବ୍ୟାଙ୍କ ଶାଖାର କର୍ମଚାରୀମାନଙ୍କୁ ଜମାକାରୀ, ଋଣକାରୀ ଓ ସାଧାରଣ ଲୋକମାନଙ୍କୁ ଉଚିତ ସେବା ଯୋଗାଇଦେବା ସହ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ କହିଥିଲେ । ସଭାପତି ଶ୍ରୀ ମହାପାତ୍ର ଚାଷୀ ଓ ଲୋକମାନଙ୍କ ପାଇଁ ବ୍ୟାଙ୍କ ଚାଲୁଥିବା ବେଳେ ସେମାନଙ୍କୁ ସେବାରେ ଅବହେଳା କଲେ ବ୍ୟାଙ୍କ ପ୍ରତି ସମସ୍ୟା ଦେଖାଦେବ ବୋଲି କହି ଏଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ କହିଥିଲେ । ଏହି ସମୀକ୍ଷା ବୈଠକରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଉପସଭାପତି ରଞ୍ଜିତା ସିଂ, ନୀଳଗିରି ଏଆରସିସି ଉର୍ମିଳା ଦାସ, ଔପଦା ବ୍ୟାଙ୍କ ଶାଖା ପରିଚାଳକ ପ୍ରମିଳା ଖଣ୍ଡାଙ୍କ ସମେତ ତଳକିଆ, ବଡ଼ପୋଖରୀ ଓ ଫତେପୁର ସେବା ସମବାୟ ସମିତିର ସମ୍ପାଦକ, ସଭାପତି ଏବଂ ବ୍ୟାଙ୍କ ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
