ଜେଲକୁ ଫେରିଲେ ବିଧାୟକ ପ୍ରଶାନ୍ତ ଜଗଦେବ
ଖୋର୍ଦ୍ଧା : ବାଣପୁର ବ୍ଲକ ଆଗରେ ଗତ ମାର୍ଚ୍ଚ ମାସ ୧୨ ତାରିଖହୋଇଥିବା ବହୁ ଚର୍ଚ୍ଚିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢ଼ାଇବା ଘଟଣାରେ ପୁଣି ଜେଲ୍ ଗଲେ ବିଧାୟକ । ଏହି ଘଟଣାକୁ ନେଇ ବାଣପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଚିଲିକା ବିଧାୟକଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗିନ ଦଫା । ସେଗୁଡିକ ହେଉଛି ୩୦୭, ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬, ୩୫୩ । ଏହି ଘଟଣାରେ ବାଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ଏସ୍ଆଇ ଚନ୍ଦନ ଦାସଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀ ଏବଂ ୪ ଜଣ ସାଧାରଣ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦେବ ଜେଲ ଯାଇଥିଲେ । ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନରେ ଆସିଥିଲେ । ତେବେ ଅନ୍ତରୀଣ ଜାମିନକୁ ହାଇକୋର୍ଟ ନାମଞ୍ଜୁର କରିବା ପରେ ବିଧାୟକ ପ୍ରଶାନ୍ତ ଜଗଦେବ ପୁନର୍ବାର ବାଣପୁର ଜେଲରେ ହାଜର ହୋଇଛନ୍ତି ।
ସୂଚନା ଯେ, ଗତ ୨୭ ଏପ୍ରିଲରେ ଚିଲିକା ବିଧାୟକ ଜେଲରୁ ଆସିଥିଲେ । ମାର୍ଚ୍ଚ ୨୨ ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ ହୋଇ ବାଣପୁର ଜେଲ ଯାଇଥିଲେ । ସୋମବାର ପ୍ରାୟ ଦିନ ୧ଟା ୩୦ ମିନିଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାଣପୁର ବିଚାର ବିଭାଗୀୟ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ଆନୁସଂଗୀକ କାଗଜଗତ୍ର ପରେ ବିଚାରପତି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର ବିଚାରପତି ୧୪ ଦିନିଆ ବିଚାର ବିଭାଗୀୟ ବାଣପୁର ଜେଲକୁ ପଠାଇଛନ୍ତି । ଅପର ପକ୍ଷରେ ବିଧାୟକଙ୍କ ଓକିଲ କହିଛନ୍ତି ପରବର୍ତୀ ସମୟରେ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯିବ ।
