ଜମିବାଡି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା
ଖୋର୍ଦ୍ଧା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସଦର ଥାନା ଅନ୍ତର୍ଗତ ବ୍ରଜମୋହନ ପୁର ପଂଚାୟତ ଶରଧାପୁର ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ବଳିୟାରସିଂହଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ନାରଣ ବରାଳ ନାମକ ଜଣେ ବ୍ୟକ୍ତି ଏକ ସରକାରୀ ଜମି ଜବରଦଖଲ କରିଥିଲେ । ଉକ୍ତ ସରକାରୀ ଜମି ଦଖଲ ଘଟଣାରେ ରବୀନ୍ଦ୍ରନାଥ ତହସିଲ ଅଫିସ୍ ଓ ଆରଆଇଙ୍କ ନିକଟରେ ଅଭିଯୋଗ କରିଥିଲେ । ଗତ କିଛି ମାସ ହେବ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଶୁକ୍ରବାର ସକାଳୁ ନାରଣ ଓ ଅନ୍ୟମାନେ ସଙ୍ଗବଧ ଭାବେ ଆକ୍ରମଣ କରିବା ଫଳରେ ରବୀନ୍ଦ୍ରଙ୍କ ଘଟଣା ସ୍ଥଳରେ ମୁତ୍ୟୁ ହେଇଛି । ସେହିପରି ମୃତକଙ୍କ ପୁଅ ରଶ୍ମି ରଞ୍ଜନ ଆହତ ହେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ରଶ୍ମି ରଞ୍ଜନ ଗତ ପଞ୍ଚାୟତ ନିର୍ବାଚନ ପ୍ରାଥି ହୋଇଥିଲେ । ହେଲେ ନିର୍ବାଚନରେ ସେ ପରାଜିତ ହୋଇଥିଲେ । ତେଣୁ ହତ୍ୟା କାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ନେଇ ଅନୁମାନ କରାଯାଉଛି ।
