ଜେଇଇ ମେନ ୨୦୨୧ର ଚତୁର୍ଥ ସେସନ ଫଳ ପ୍ରକାଶିତ
ନୂଆଦିଲ୍ଲୀ : ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ ୨୦୨୧ର ଚତୁର୍ଥ ସେସନର ଫଳାଫଳ ପ୍ରକାଶିତ ହୋଇଛି । ‘ଦି ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ) ତା’ର ୱେବ୍ସାଇଟ୍ରେ ଏହି ଫଳାଫଳ ପ୍ରକାଶ କରିଛି । ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪୪ଜଣ ଶତପ୍ରତିଶତ ହାସଲ କରିଥିବା ବେଳେ ୧୮ଜଣ ୧ ନମ୍ବର ରାଙ୍କ୍ରେ ଅଛନ୍ତି। ଏଥର ଆନ୍ଧ୍ରପ୍ରଦେଶରୁ ୪ଜଣ ଛାତ୍ର ରାଙ୍କ୍ ୧ ତାଲିକାରେ ଅଛନ୍ତି। ସେହିପରି ‘୨୦୨୧ ଜେଇଇ ମନେ୍’ ପରୀକ୍ଷାରେ ପ୍ରଥମ ଥର ଲାଗି ଦୁଇଜଣ ଛାତ୍ରୀ ମଧ୍ୟ ୧ ନମ୍ବର ରାଙ୍କ୍ ପାଇଛନ୍ତି। ଦୁଇଟି ପରୀକ୍ଷା ପତ୍ରକୁ ନେଇ ‘ଜେଇଇ’ ପରୀକ୍ଷା କରାଯାଇଥାଏ। ‘ଏନ୍ଆଇଟି’, ‘ଆଇଆଇଟି’ ଏବଂ ଅନ୍ୟାନ୍ୟ ‘ସେଣ୍ଟ୍ରାଲି ଫଣ୍ଡେଡ୍ ଟେକ୍ନିକାଲ୍ ଇନ୍ଷ୍ଟିଚ୍ୟୁସନ୍ସ୍’ (ସିଏଫ୍ଟିଆଇ), ରାଜ୍ୟ ସହଭାଗିତାରେ ଅନୁଦାନ/ସ୍ବୀକୃତିପ୍ରାପ୍ତ ଇନ୍ଷ୍ଟିଚ୍ୟୁସନ୍ସ୍/ୟୁନିଭର୍ସିଟିଗୁଡ଼ିକରେ ‘ଅଣ୍ଡର୍ ଗ୍ରାଜୁଏଟ୍ ଇଞ୍ଜିନିୟରିଙ୍ଗ୍ ପ୍ରୋଗ୍ରାମ୍‘ (ବି.ଇ./ବି.ଟେକ୍) ତଥା ‘ଆଇଆଇଟି’ ଆଡ୍ମିସନ୍ ଯୋଗ୍ୟତା ନିମନ୍ତେ ‘ଜେଇଇ ଆଡ୍ଭାନ୍ସ୍ଡ୍’ ପାଇଁ ‘ପ୍ରଥମ ପତ୍ର’ରେ ପରୀକ୍ଷା କରାଯାଇଥାଏ। ଚଳିତ ବର୍ଷରୁ ପ୍ରଥମ କରି ‘ଜେଇଇ ମେନ୍’ ବର୍ଷକୁ ୪ଥର ଆୟୋଜନ କରାଯାଇଛି। ସେପ୍ଟେମ୍ବର ୧୧ରୁ ‘ଜେଇଇ ଆଡ୍ଭାନ୍ସ୍ଡ୍ ୨୦୨୧’ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ‘ଜେଇଇ ମେନ୍ ୨୦୨୧’ ସଫଳ ହୋଇଥିବା ଶ୍ରେଷ୍ଠ ୨.୫ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେଇ ପାରିବେ।
ସୂଚନା ଯେ, ଚଳିତ ବର୍ଷ ୭.୩୨ ଲକ୍ଷ ଛାତ୍ର-ଛାତ୍ରୀ ଜେଇଇ ପରୀକ୍ଷା ଦେଇଥିଲେ। ଜେଇଇ ମେନ ୨୦୨୧ ସେସନ ୪ର ପରୀକ୍ଷା ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୨ରେ ହୋଇଥିଲା। ଜେଇଇ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ଏବଂ ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ୍ରେ ଆୟୋଜିତ ହୋଇଥିଲା।
