ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
ଭୁବନେଶ୍ବର : ଆଜି ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ସୋମବାର ଅପରାହ୍ନ ୪ଟାରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିବେ । ଏହାପରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷାର୍ଥୀ http://orissaresults.nic.in ୱେବସାଇଟ୍ରେ ପରୀକ୍ଷା ଫଳ ଜାଣିପାରିବେ । ଏନେଇ ସିଏଚ୍ଏସ୍ଇ କାର୍ଯ୍ୟାଳୟ ସୂଚନା ଦେଇଛି ।
ସୂଚନା ଯେ, ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି । ଚଳିତବର୍ଷ ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିଥିବେ ବୋଲି ଆଶା ରଖିଛନ୍ତି । ଗତ ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା । ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଥିଲା ।
