ଧବଳେଶ୍ୱର ଝୁଲାପୋଲରେ କଟକଣା ! ଏଣିକି ୨୦୦ ଲୋକଙ୍କୁ ଅନୁମତି
କଟକ : ପୁଣି ଓଡିଶାର ଆଖି ଖୋଲି ଦେଲା ଗୁଜରାଟ ଟ୍ରାଡେଜି। ସୁରଥ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଓଡିଶାରେ ଅଗ୍ନିଶମ ବିଭାଗ ହରକତରେ ଆସିଥିଲା। ଆଉ ଏବେ ସେହି ଗୁଜରାଟର ମୋର୍ବି ଝୁଲାପୋଲ ଅଘଟଣ ପରେ ରାଜ୍ୟର ସମସ୍ତ ଝୁଲାପୋଲର ଯାଞ୍ଚ ହେବାକୁ ଯାଉଛି। ମୋର୍ବି ଦୁର୍ଘଟଣାର ୧୫ ଘଣ୍ଟା ନ ପୁରୁଣୁ କଟକ ଧବଳେଶ୍ୱର ଝୁଲାପୋଲରେ କଟକଣା ଲଗାଯାଇଛି। ତେବେ ଜିଲ୍ଲାପ୍ରଶାସନ ଏହି ନିଷ୍ପତ୍ତି ହଠାତ ନେଲା ନା ମୋର୍ବି ଝୁଲାପୋଲ ଛିଣ୍ଡିବାକୁ ଅପେକ୍ଷା କରିଥିଲା, ତେହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।
ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ଅଛି। ଯାହାକୁ ଦୃଷ୍ଟିରେ ରଖି ଧବଳେଶ୍ୱରରେ ମହାନଦୀ ଉପରେ ଥିବା ଝୁଲାପୋଲରେ ଅଧିକ ଲୋକ ଯାତାୟାତ ଉପରେ କଟକଣା ଲଗାଯାଇଛି। ଆଗରୁ ୬୦୦ ଲୋକ ଯିବାର ଅନୁମତି ଥିବା ବେଳେ ବର୍ତ୍ତମାନ ତାହାକୁ ୨୦୦କୁ କମାଇ ଦିଆଯାଇଛି ବୋଲି ଆଠଗଡ଼ ସବ୍ କଲେକ୍ଟର ସୂଚନା ଦେଇଛନ୍ତି। ଯେହେତୁ ଝୁଲାପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଛି ଓ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି ସେ ଦିଗରୁ ମଧ୍ୟ ପ୍ରଶାସନ ସଜାଗ ରହିଛି। ନିୟମିତ ବ୍ୟବଧାନରେ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି।
ସେହିଭଳି ଧବଳେଶ୍ୱର ପୀଠ ଯିବା ପାଇଁ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ଏହା ସହ ଯେଉଁ ଶ୍ରଦ୍ଧାଳୁମାନେ ନିତ୍ୟାନ୍ତ ଆବଶ୍ୟକ, ସେହିମାନେ ହିଁ ଝୁଲାପୋଲରେ ଆସିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କାରଣ ଅଧିକ ଲୋକ ସମାଗମ ହେଲେ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ। ଏକାସଙ୍ଗରେ ଧବଳେଶ୍ୱର ଝୁଲାପୋଲରେ କେବଳ ୨୦୦ ଓ ଦିନକରେ ୧୫ରୁ ୨୦ ହଜାର ଲୋକଙ୍କୁ ଯାତାୟାତ ଅନୁମତି ଦିଆଯାଇଛି। କୋଲକାତାର ଏକ ଟିମ୍ ପୋଲର ସୁରକ୍ଷା ଯାଞ୍ଚ ପରେ କ୍ଷମତା କମା ଯାଇଥିବା ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଆଠଗଡ ପ୍ରଶାସନ ନେଇ ଥିବା ନିଷ୍ପତ୍ତିର ସମୟକୁ ନେଇ ପ୍ରଶ୍ନ ଉଠୁଛି। ନିର୍ଦ୍ଦେଶ ଜାରି କରିବାକୁ ପ୍ରଶାସନ ମୋର୍ବି ଘଟଣାକୁ ଅପେକ୍ଷା କରିଥିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
