ଆଜି ବାହାରିବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା
ଭୁବନେଶ୍ୱର : ଆଜି ବାହାରିବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା । ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟଙ୍କ ତାଲିକା ବାହାରିବ । ବ୍ଲକ ଅଧ୍ୟକ୍ଷ ଓ ଜିଲା ପରିଷଦ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇବ । ଆପତ୍ତି ଥିଲେ ୧୬ରେ ଅଭିଯୋଗ କରିପାରିବେ । ସେହିପରି ୨୧ ସୁଦ୍ଧା ଜିଲାପାଳ ଶୁଣାଣି କରିବେ ଓ ୨୬ ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।
ପଞ୍ଚାୟତ ନିର୍ବାଚନ ସଠିକ ସମୟରେ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଉଛି। କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଉଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ଏହି ଚିଠା ତାଲିକା ପ୍ରକାଶ ପାଉଛି। ତେବେ ୱାର୍ଡ ମେମ୍ବର , ସରପଞ୍ଚ, ସମିତିସଭ୍ୟ,ବ୍ଲକ ଅଧ୍ୟକ୍ଷ ପାଇଁ ଯଦି କିଏ ଚାହିଁବ ୧୬ ତାରିଖରେ ଆପତ୍ତି କରିପାରିବେ।୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ। ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସେହିପରି ଜିଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ଆପତ୍ତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ। ୨୨ ତାରିଖରେ ଶୁଣାଣି କରାଯାଇ ଜିଲାପାଳଙ୍କ ଦ୍ୱାରା ସମାଧାନ କରାଯିବ। ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ହେବ। ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିସନଙ୍କୁ ଦିଆଯିବ। ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି, ୨୬ ତାରିଖ ସୁଦ୍ଧା ୱାର୍ଡ ମେମ୍ବର, ସମିତି ସଭ୍ୟ,ସରପଞ୍ଚଙ୍କ ସଂରକ୍ଷଣ ତାଲିକା ଚୂଡାନ୍ତ କରି ରାଜ୍ୟ ସରକାର ନିର୍ବାଚନ କମିସନଙ୍କୁ ଦେବେ। ୩୦ ତାରିଖ ଭିତରେ ଜିଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଦେବେ। ଏହା ପରେ ନିର୍ବାଚନ କମିସନ ଭୋଟର ତାଲିକା ପ୍ରସ୍ତୁତ କରିବେ। ଭୋଟର ଲିଷ୍ଟ ପ୍ରସ୍ତୁତ ପାଇଁ ମାସେ ଦେଢ଼ ମାସ ସମୟ ଲାଗିବ। ତାପରେ ନିର୍ବାଚନ ପ୍ରକ୍ରିୟାକୁ ଯିବୁ।
