ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ଦାବିରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ନିଷ୍ପତ୍ତି
ବାଲେଶ୍ୱର : ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥାର ପ୍ରତିବାଦରେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ଫେବୃଆରୀ ମାସର ୩ୟ ସପ୍ତାହରେ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗଣଧାରଣା ପାଇଁ ଶନିବାର ଦିନ ଜିଲ୍ଲାକମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଲେଶ୍ୱରର ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହେଲେ ମଧ୍ୟ ସ୍ୱାସ୍ଥ୍ୟସେବାରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହେଉନାହିଁ । ଅନେକ ବିଭାଗର ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ଘରୋଇ ଚିକିତ୍ସାଳୟରେ ଶୋଷଣର ଶୀକାର ହେଉଛନ୍ତି । ମୁଖ୍ୟ ଚିକିତ୍ସାଳୟରେ କେତେକ ଡାକ୍ତର ରୋଗୀମାନଙ୍କୁ ଅସୌଜନ୍ୟ ବ୍ୟବହାର କରୁଥିବା ଓ ଘରୋଇ ଚିକିତ୍ସା ପାଇଁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ହୋଇଛି । ସେହିପରି କେତେକ ଡାକ୍ତର ସରକାରୀ କାର୍ଯ୍ୟରେ ଅବହେଳା କରି ଘରୋଇ ଚିକିତ୍ସାରେ ବିପୁଳ ଅର୍ଥ ଆୟ କରୁଥିବା ସଂପର୍କରେ ବୈଠକରେ ଅଭିଯୋଗ ହୋଇଛି । ସେହିପରି ଜିଲ୍ଲାର ବହୁ ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ନଥିବା ଓ ରୋଗନିଦାନର ଯନ୍ତ୍ରପାତି ଅଚଳ ଥିବାର ଅଭିଯୋଗ ହୋଇଛି । ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ବହୁବାର ଅଭିଯୋଗ କଲେ ମଧ୍ୟ ସମସ୍ୟାଗୁଡ଼ିକର ସମାଧାନ ହେଉନାହିଁ । ତେଣୁ ବୈଠକରେ ଦୀର୍ଘ ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏ ସଂପର୍କରେ ମେଡିକାଲ୍ କଲେଜ୍ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଲିଖିତଭାବେ ଅବଗତ କରାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ଇଂ. ହୃଷିକେଶ ସାହୁ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ଡା. ତାରାକାନ୍ତ ନନ୍ଦ, ଗୋପୀନାଥ ଶତପଥୀ, ପ୍ରଫୁଲ୍ଲ କୁମାର ଦାସ, ପଦ୍ମଲୋଚନ ଦତ୍ତ, ଶ୍ୟାମସୁନ୍ଦର ଜେନା, ଡ. କ୍ଷିତୀଶ୍ୱର ଦାଶ, ଭାଗୀରଥି ମହାନ୍ତି, ବନ୍ଦନା ବିଶ୍ୱାସ, ରବିନାରାୟଣ ଭୋଳ, ତପନ ସିଟ୍, କମଳାକାନ୍ତ ନାୟକ, ଓ ଯତୀନ୍ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମିନତୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
