ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ : ଆରବିଆଇ ଗଭର୍ଣ୍ଣର
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରିବର୍ତ୍ତିତ । ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରହିଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଦେଶରେ ବର୍ତ୍ତମାନ ମହଙ୍ଗା ଋତୁ ଚାଲିଥିବା ବେଳେ ଆରବିଆଇର ଏହି ଘୋଷଣା ପରେ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।
ବୈଶ୍ବିକ ଅର୍ଥନୀତି ଏବେ ଅସ୍ଥିରତାର ନୂତନ ପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ରିଜର୍ଭ ବ୍ୟାଙ୍କ୍ ‘ମନିଟାରି ପଲିସି ଆକମଡେସନ୍’ର ପ୍ରତ୍ୟାହାର ଉପରେ ଧ୍ୟାନ ନିବେଶ କରିଛି ବୋଲି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨ ମେ’ରେ ଗ୍ରହଣ କରାଯାଇଥିବା ନୀତି ନିଷ୍ପତ୍ତି ସବୁ ଏବେ ବି ଅର୍ଥନୈତିକ ବ୍ୟବସ୍ଥାରେ କାମ କରୁଛି। ସୁଧର ଦର କମ୍ ଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ବିଶେଷ ସକ୍ରିୟ ଅଛି।
ଆର୍ଥିକ ବର୍ଷ ୨୩ରେ ୭% ଅଭିବୃଦ୍ଧି ହାର ଆଶା ରଖି ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ଼ ରହିଥିବା କଥା ମଧ୍ୟ ଗଭର୍ଣ୍ଣର୍ ଦାସ କହିଛନ୍ତି। ଆର୍ଥିକ ବର୍ଷ ୨୪ ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅଭିବୃଦ୍ଧି ହାର ୬.୪ରୁ ସାମାନ୍ୟ ବୃଦ୍ଧି କରି ୬.୫% ହେବ ବୋଲି ଆକଳନ କରିଛି। ଗତବର୍ଷ ଫେବ୍ରୁଆରି ତୁଳନାରେ ଚଳିତ ବର୍ଷ ଫେବ୍ରୁଆରିରେ ଖାଉଟି ମୁଦ୍ରାସ୍ଫୀତି ୬.୪୪% ବୃଦ୍ଧି ପାଇଛି। କିନ୍ତୁ, ଜାନୁଆରି ମାସରେ ଖାଉଟି ମୁଦ୍ରାସ୍ଫୀତି ୬.୫୨% ଥିଲା। ଅଦିନିଆ ବୃଷ୍ଟିପାତ ଖାଦ୍ୟ ଦର ବୃଦ୍ଧି କରାଉଥିବା ବେଳେ ନିକଟ ଅତୀତରେ ତୈଳ ଦର ବୃଦ୍ଧି ମଧ୍ୟ ମୁଦ୍ରାସ୍ଫୀତି ହ୍ରାସ ନ ପାଇବାର କାରଣ ବୋଲି ଜଣାପଡ଼ିଛି।
