ଭୁବନେଶ୍ୱରରେ ୨୩ରୁ ଖୋଲିବ ଧର୍ମାନୁଷ୍ଠାନ
- ବାହାର ଭୋଗ ମନ୍ଦିର ଭିତରକୁ ନେବା ମନା
ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସମସ୍ତ ମନ୍ଦିର ସମେତ ଧର୍ମାନୁଷ୍ଠାନ। ଏ ନେଇ ସୋମବାର ବିଏମ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ୍ କଟକଣା ଯେଭଳି ଉଲ୍ଲଂଘନ ନହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେବ। ଚର୍ଚ୍ଚ, ମସିଜିଦ୍ ଓ ଗୁରୁଦ୍ବାର ମଧ୍ୟ ୨୩ ତାରିଖରୁ ଖୋଲିବ। କିନ୍ତୁ ଯେବେ ବି ଖୋଲିବ ସେତେବେଳେ ବିଏମ୍ସି ଏସ୍ଓପି(ନିର୍ଦ୍ଦେଶନାମା)କୁ ପାଳନ କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।ଗତ ୭ ତାରିଖରେ ବିଭିନ୍ନ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାରେ ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରିବା ପରେ କୋଭିଡ୍ କଟକଣା ପାଳନ ପୂର୍ବକ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମ୍ସି କମିସନର ସଞ୍ଜୟ ସିଂହ।
ଜାରି ହୋଇଥିବା ଏସ୍ଓପି ମୁତାବକ, ୨୩ ତାରିଖରୁ ବିଭିନ୍ନ ମନ୍ଦିର ସହ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ସର୍ବସାଧାରଣଙ୍କୁ ଅନୁମତି ମିଳିବ। କୌଣସି ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରିବା ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ। ଏକ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହୋଇ ଭକ୍ତମାନେ ଦର୍ଶନ କରିବାକୁ ସୁଯୋଗ ପାଇବେ। କୌଣସି ଭକ୍ତ ଠାକୁରଙ୍କ ପାଖରେ ଭୋଗ ଲାଗି କରିପାରିବେ ନାହିଁ। ବାହାର ଭୋଗ ମନ୍ଦିର ଭିତରକୁ ନେବା ମନା ହୋଇଛି। କେବଳ ଦର୍ଶନ କରିବେ। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର କଟକଣା ରହିଛି। ଏକ ସମୟରେ ସିଂହଦ୍ବାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଯାତ୍ରୀଙ୍କୁ ରହିବାକୁ ଅନୁମତି ମିଳିବ। ଅନ୍ୟ ମନ୍ଦିର କିମ୍ବା ମସଜିଦ୍ରେ ସର୍ବାଧିକ ୨୫ ଜଣଙ୍କୁ ପ୍ରବେଶ ଅନୁମତି ମିଳିବ।
