ସୁଯୋଗ ମିଳିଲେ ଟେଷ୍ଟ ଦଳର ନେତୃତ୍ଵ ନେବାକୁ ପ୍ରସ୍ତୁତ : ବୁମରା
ଜୋହାନ୍ସବର୍ଗ: ଅପ୍ରତ୍ୟାଶିକ ଢଙ୍ଗରେ ବିରାଟ କୋହଲି ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଟିମ ଇଣ୍ଡିଆର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ବଡ଼ ବୟାନ ଦେଇଛନ୍ତି । ସେ ଟେଷ୍ଟ ଫର୍ମାଟରେ ଭାରତର ନେତୃତ୍ୱ ନେବାକୁ କେବେ ହେଲେ ପଛଘୁଂଚା ଦେବେ ନାହିଁ ବୋଲି କହିଛନ୍ତି ।
୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ବୁମ୍ରା ଟିମ ଇଣ୍ଡିଆର ଉପ ଅଧିନାୟକ କମାଣ ସମ୍ଭାଳିବେ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ଅଧିନାୟକ ହେବ । ଏହା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁମ୍ରା ଟେଷ୍ଟ କ୍ୟାପ୍େଟନଶିପକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ମତ ରଖିଛନ୍ତି । ସେ କହିଛନ୍ତି, ଭବିଷ୍ୟତରେ ଯଦି ଜାତୀୟ ଟିମ୍ର ନେତୃତ୍ୱ ନେବାକୁ ସୁଯୋଗ ମିଳେ, ତା’ହେଲେ ଏହା ମୋ ପାଇଁ ସମ୍ମାନର ବିଷୟ ହେବ । ମୁଁ ଭାବୁନି ଦେଶର ନେତୃତ୍ୱ ନେବାକୁ କେବେ ହେଲେ କୌଣସି ଖେଳାଳି ମନା କରିବେ ନାହିଁ । ମୁଁ ସେମାନଙ୍କ ଠାରୁ ଅଲଗା ନୁହେଁ । ଦଳରେ ନେତୃତ୍ୱ ନିଏ କି ନ ନିଏ, ମୁଁ ସବୁବେଳେ ଟିମ ପାଇଁ ଖେଳିବାକୁ ଭଲ ପାଏ । ମୁଁ ସବୁବେଳେ ଶତପ୍ରତିଶତ ଦେବାକୁ ଚେଷ୍ଟା କରେ । ପ୍ରଥମଥର ଉପ ଅଧିନାୟକ ହେଉଥିବା ବୁମ୍ରା ନିଜର ଦାୟିତ୍ୱ ସମ୍ପର୍କରେ ମଧ୍ୟ କହିଛନ୍ତି । ସେ କହିଛନ୍ତି, “ପୂର୍ବଭଳି ମୁଁ ବର୍ତମାନର ସ୍ଥିତିକୁ ମଧ୍ୟ ଦେଖୁଛି । ଦାୟିତ୍ୱ ନେବା, ଖେଳାଳିଙ୍କ ସହ କଥାବର୍ତା ଓ ସହଯୋଗ କରିବାକୁ ମୁଁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି । ବର୍ତମାନ ସମୟରେ ମଧ୍ୟ ମୁଁ ସେହି ଦାୟିତ୍ୱ ସମ୍ପାଦନ କରିବି । ପଦ ପାଇବା ଓ ନ ପାଇବା ମୋ ପାଇଁ କୌଣସି ଗୁରୁତ୍ୱ ରଖେନି । ସବୁବେଳେ ମୁଁ ଦଳ ପାଇଁ କ’ଣ କରିପାରିବି, ତା’ ଉପରେ ବିଚାର କରେ । ପ୍ରଥମେ ମୋ ଦାୟିତ୍ୱକୁ ମୁଁ ସମ୍ପାଦନ କରିବି । ଏହାପରେ କେଏଲ ରାହୁଲ ଯଦି କିଛି ମୋ ଠାରୁ ଚାହିଁବେ, ତା’ହେଲେ ମୁଁ ତାଙ୍କୁ ସହାୟତା କରିବି । ମୁଁ ଉପ ଅଧିନାୟକ ପଦରେ ନଥିବା ବେଳେ ମଧ୍ୟ ଯୁବ ଖେଳାଳିଙ୍କୁ ବୋଲିଂ ବେଳେ ସହଯୋଗ କରେ । କେଉଁଠି ଫିଲ୍ଡର ଦରକାର ମୁଁ ପରାମର୍ଶ ଦିଏ । ଏବେ ବି ମୋ କାମ ସେଇଆ ରହିବ । କୌଣସି ସ୍ୱତନ୍ତ୍ର ଦାୟିତ୍ୱ କିମ୍ବା ଚାପ ଆଦୌ ମୋତେ ପ୍ରଭାବିତ କରିବ ନାହିଁ । ହଁ, କେଏଲଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ଚେଷ୍ଟା କରିବି ।
ଅନ୍ୟପକ୍ଷରେ ରିପୋର୍ଟ ଅନୁଯାୟୀ ଏହି ସୂଚନା ମିଳିଛି ଯେ, କୋହଲିଙ୍କୁ ବିସିସିଆଇ ଅଧିନାୟକ ପଦ ଛାଡିବା ପୂର୍ବରୁ ବିଦାୟକାଳୀନ ମ୍ୟାଚ୍ ଖେଳିବାକୁ ପ୍ରସ୍ତାବ ଦେଇଥିଲା । ତେବେ କୋହଲି ଅଧିନାୟକ ଭାବେ ବିଦାୟକାଳୀନ ମ୍ୟାଚ୍ ଖେଳିବାକୁ ମନା କରି ଦେଇଛନ୍ତି । ଗୋଟିଏ ମ୍ୟାଚ୍ରେ କୌଣସି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି । ୩୩ ବର୍ଷୀୟ କୋହଲି ବେଙ୍ଗାଲୁରୁରେ ଭାରତୀୟ ଦଲ ପାଇଁ ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ । ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ବିରାଟ କୋହଲି ଭାରତ୍ୟୀ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମଧ୍ୟରୁ ଜଣେ । ଜଣେ ଅଧିନାୟକ ଭାବେ ତାଙ୍କର ରେକର୍ଡ ଏବଂ ଯୋଗଦାନ କୌଣସି ଅଧିନାୟକଠୁ କମ ନୁହେଁ । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୪୦ଟି ଟେଷ୍ଟ ଜିତିଛି । ସେ ଚମତ୍କାର ଭାବେ ଦଳର ନେତୃତ୍ୱ ନେଇଛନ୍ତି । ଆମେ ବିରାଟ କୋହଲିଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ । ଆଶା କରୁଛି, ସେ ଭାରତୀୟ ଦଳରେ ତାଙ୍କର ଯୋଗଦାନ ଜାରି ରଖିବେ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ବୟାନରେ କହିଛନ୍ତି, ବିରାଟଙ୍କ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବେ ଅପାର ଯୋଗଦାନ ପାଇଁ ବ୍ୟକ୍ତିଗତ ଭାବେ ତାଙ୍କୁ କୃତଜ୍ଞତା ଜଣାଉଛି । ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଖେଳର ସମସ୍ତ ଫର୍ମାଟ୍ରେ ଦ୍ରୁତ ପ୍ରଗତି କରିଛି । ତାଙ୍କର ନିର୍ଣ୍ଣୟ ବ୍ୟକ୍ତିଗତ ଏବଂ ବିସିସିଆଇ ଏହାର ପୂରା ସମ୍ମାନ କରୁଛି ।
