ଅଧିକାରୀମାନେ ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବାକୁ ଆରଡିସିଙ୍କ ପରାମର୍ଶ
ପୁରୀ : ଅଧିକାରୀ ମାନେ ବିଭିନ୍ନ ଗସ୍ତରେ ଗଲା ବେଳେ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ସୁବିଧା ଅସୁବିଧା କୁ ଅନୁଧ୍ୟାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି।
ସର୍କିଟ ହାଉସ ଠାରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଡ. ଦଳାଇ ବିଭିନ୍ନ ସରକାରୀ ଯୋଜନା ଯେପରି ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିବ ସେଥି ପ୍ରତି ପ୍ରତ୍ୟେକ ବିଭାଗର ଅଧିକାରୀ ମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ବିଶେଷ କରି ସାଧାରଣ ଲୋକ ମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ସେବା ଯୋଗାଇବା, ବିବିଧ ପ୍ରକଳ୍ପ ଗୁଡିକ ଯେପରି ସମୟ ସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ ହୋଇ ଲୋକଙ୍କ ଉପକାରରେ ଲାଗି ପାରିବ ସେଥିପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଭାଗ ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡିକର ପାରିପାର୍ଶ୍ବିକ ପରିବେଶ, ଶୈକ୍ଷିକ ପରିବେଶ, ଶ୍ରେଣୀ ଗୃହ ର ସ୍ଥିତି,ଶିକ୍ଷା ଦାନ ପ୍ରକ୍ରିୟା ସହ ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରି ଜିଲାପାଳଙ୍କୁ ରିପୋର୍ଟ ଦେବାକୂ ସେ ପରାମର୍ଶ ଦେଇଥିଲେ।ପରେ ଆୟୁକ୍ତ ଡ. ଦଳାଇ ଜିଲାର ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ।
ସମୀକ୍ଷା ବୈଠକରେ ପ୍ରାରମ୍ଭରେ ଜିଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ସ୍ୱାଗତ ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
