ରିଜର୍ଭ ବ୍ୟାଙ୍କର ତ୍ରୟମାସିକ ଆର୍ଥିକ ନୀତି ଘୋଷଣା, ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଦିନ ତ୍ରୟମାସିକ ଆର୍ଥିକ ନୀତି ଘୋଷଣା କରିଛନ୍ତି । ଆର୍ଥିକ ନୀତିର ଫଳାଫଳ ଘୋଷଣା କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛିଯେ, ରେପୋ ରେଟ୍ ୪%ରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରାଯାଇଛି । ଏହାକୁ ମିଶାଇ କ୍ରମାଗତ ୧୦ ଥର ଲାଗି ରେପୋ ରେଟ୍ ଅପରିବର୍ତ୍ତିତ ରହିଲାଣି ।
୨୦୨୨-୨୩ ଆର୍ଥିକ ବର୍ଷରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତରେ ଆକଳନ କରିଛନ୍ତି । ଏଫୱାଇ୨୨୩ ର ଦ୍ୱିତୀୟ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ଆକଳନ ୭.୮ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ ପାଇଛି । ଏଥିସହିତ, ୨୦୨୩ ଆର୍ଥିକ ବର୍ଷର ୩ୟ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୪.୩ ପ୍ରତିଶତ ଏବଂ ଏଫୱାଇ୨୩ର ଚତୁର୍ଥ ତ୍ରୟମାସିକରେ ୪.୫ ପ୍ରତିଶତ ହୋଇପାରେ । ସୁଧହାର ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମିନିଟାରି ପଲିସି କମିଟି’ର ସର୍ବସମ୍ମତ ହେବା ସହ ନିଷ୍ପତ୍ତି ନେଇଥିଲେ। ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଅଭିବୃଦ୍ଧିକୁ ସହାୟତା କରିବା ସହ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖାଯିବା ଯାଏଁ ଆର୍ଥିକ ନୀତିର ସ୍ଥିତାବସ୍ଥା ଜାରି ରହିବ ।
