ରସୁଲପୁର ବ୍ରିଜ୍ ଧସିବା ଘଟଣା! ତଦନ୍ତ କରିବ ଏକ୍ସପର୍ଟ କମିଟି, ନିର୍ମାଣଗତ ତ୍ରୁଟି ନେଇ ସ୍ପଷ୍ଟିକରଣ ରଖିଲା ଏନଏଚଏଆଇ
ଯାଜପୁର : ଯାଜପୁର ଜିଲା ଜାତୀୟ ରାଜପଥ ନମ୍ବର ୧୬ର ରସୁଲପୁର ବ୍ଲକ ନିକଟରେ ବ୍ରିଜ ଭୁଶୁଡିବା ଘଟଣା । ସ୍ପଷ୍ଟିକରଣ ରଖିଲା ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) । ନିର୍ମାଣଗତ ତ୍ରୁଟି ଯୋଗୁଁ ବ୍ରିଜ ଭୁଶୁଡିଲା ବୋଲି ଘଟଣାସ୍ଥଳ ଅନୁଧ୍ୟାନ କରି କହିଛନ୍ତି ଏନଏଚଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି ବୋଲି ସେ କହିଛନ୍ତି।
ବର୍ମା କହିଛନ୍ତି ଯେ, ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ବ୍ରିଜ ୨୦୦୮ ପାଖାପାଖି ନିର୍ମାଣ ହୋଇଥିଲା । ଏହା ୫୦ ବର୍ଷ ରହିବା କଥା ବୋଲି ସେ କହିଛନ୍ତି। ଏଣେ ଏନ୍ଏଚଏଆଇର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ହେଭି ଓଭର ଲୋଡିଂ ଗାଡ଼ି ପାଇଁ ବ୍ରିଜ ଭୁଶୁଡ଼ିଥିବା କୁହାଯାଉଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ବ୍ରିଜ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିବ’। ସେ କହିଛନ୍ତି ଯେ,ବ୍ରିଜ ଭାଙ୍ଗିଥିବାରୁ ଯାତାୟାତ ବନ୍ଦ ରହିବ । ଏହାର ପୁନଃ ନିର୍ମାଣ କରାଯିବ । ବ୍ରିଜ୍ଟି ଆଉ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ଏହାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବୀରେନ୍ଦ୍ର କହିଛନ୍ତି ।

ସୂଚନା ଯେ, ଯାଜପୁର ଜାତୀୟ ରାଜପଥ-୧୬ରେ ରସୁଲପୁର ନିକଟ ଥିବା ଏକ ବ୍ରିଜ୍ ମଙ୍ଗଳବାର ହଠାତ୍ ଦବିଯାଇଥିଲା । ପ୍ରାୟ ୧୦ ଫୁଟ୍ ତଳକୁ ଦବିଯାଇଛି ବ୍ରିଜ୍ । ଯାହାଫଳରେ ଉକ୍ତ ବ୍ରିଜ୍ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବ୍ରିଜ୍ ଉଭୟ ପଟେ ଅନେକ ଗାଡି ମଟର ଅଟକି ରହିଛି । ଏପିରିକି ବାଲେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
