ଶାରୀରିକ ଅକ୍ଷମ ଯୁବତୀକୁ ବଳାତ୍କାର ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ବାଲେଶ୍ୱର : ଶାରୀରିକ ଅକ୍ଷମ ଯୁବତୀକୁ ବଳାତ୍କାର ମାମଲା । ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଆଡହକ୍ ଅତିରିକ୍ତ ଜିଲା ଦୌରାଜଜ୍ ବାଲେଶ୍ୱରଙ୍କ ଅଦାଲତ । ଏଥିସହ ୫ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅତିରିକ୍ତ ୧ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ଥାନା ହାଟସାହି ଅଞ୍ଚଳର ଜଣେ ଶାରୀରିକ ଅକ୍ଷମ ଯୁବତୀଙ୍କୁ ୩ଟି ସନ୍ତାନର ବାପା ଚେମନ ନାୟକ ପାଟିରେ କନା ବିଣ୍ଡା ଦେଇ ନିଜ ଘର ଭିତରକୁ ଟେକି ନେଇ ଜୋର ଜବରଦସ୍ତ ବଳାତ୍କାର କରିବା ସହ ଡାହାଣ ଗୋଡ଼କୁ ଭାଙ୍ଗି ଦେଇଥିବା ନେଇ ଯୁବତୀର ବାପା ଗତ ୨୦୨୦ ମଇ ୧୯ ତାରିଖରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ନୀଳଗିରି ଥାନାରେ ମାମଲା (ନଂ. ୧୬୨ ।୨୦) ରୁଜୁ କରାଯାଇଥିଲା । ଯାହାକି ଆଡହକ୍ ଅତିରିକ୍ତ ଜିଲା ଦୌରାଜଜ୍ ବାଲେଶ୍ୱରଙ୍କ ଅଦାଲତରେ ବିଚାରାଧୀନ ଥିବା ବେଳେ ଶନିବାର ରାୟ ପ୍ରକାଶ ପାଇଛି । ୧୪ ସାକ୍ଷ୍ୟ ଓ ୧୫ ଦସ୍ତାବିଜ୍ ମୂଳେ ବିଚାର କରି ଆଡ଼ହକ ଅତିରିକ୍ତ ଜିଲା ଦୌରାଜଜ୍ ବାଲେଶ୍ୱର ମିହିର କୁମାର ପରିଡ଼ା ଅଭିଯୁକ୍ତ ଚେମନ ନାୟକକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୀପକ କୁମାର ଦାଶ ମାମଲାର ପରିଚାଳନା କରିଥିଲେ ।
