ଗୁରୁବାର ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ, ୪ଟି ବଡ଼ ରାକ୍ଷୀ ସହ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ସେବାୟତ
ପୁରୀ : ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ଆସନ୍ତା ଗୁରୁବାର ବଡଭାଇ ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ। ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ସେବାୟତ।
ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ। ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ମାନବୀୟ ଲୀଳାଖେଳା କରୁଥିବା ଠାକୁର ଜଗା-ବଳିଆ ବି ପିନ୍ଧିବେ ରାକ୍ଷୀ । ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ଏଥିପାଇଁ ଶ୍ରୀମନ୍ଦିରରେ ପକ୍ଷରୁ ଚାଲିଛି ପ୍ରସ୍ତୁତି। ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ। ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି। ବେଶ ନିଷ୍ଠାର ସହ ରାକ୍ଷୀ ପ୍ରସ୍ତୁତରେ ଲାଗିଛନ୍ତି କାରିଗର ।
ରାକ୍ଷୀ ସହ ମହାପ୍ରଭୁଙ୍କ ପାଇଁ ଚାରିଗୋଟି ଗୁଆମାଳ ପ୍ରସ୍ତୁତ କରାଯାଇଥାଏ। ୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି। ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପାଟରା ବିଷୋୟୀ ସେବାୟତ। ପୁର୍ଣ୍ଣିମା ଦିନ ପ୍ରସ୍ତୁତ ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାନ୍ତି।

ସୂଚନା ଯେ, ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।
