ଥମିବାର ନାଁ ନେଉ ନାହିଁ ରାଜସ୍ଥାନ କଂଗ୍ରେସରେ ଅନ୍ତଃକନ୍ଦଳ! ଗେହଲଟ-ପାଇଲଟ ମୁହାଁମୁହିଁ
ଜୟପୁର : ରାଜସ୍ଥାନ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ନେଉ ନାହିଁ । ଗେହଲଟ-ପାଇଲଟ ମୁହାଁମୁହିଁ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ପ୍ରାୟ ଦିନ ଗେହଲୋଟ କ୍ୟାମ୍ପ ଓ ପାଇଲଟ କ୍ୟାମ୍ପ ମଧ୍ୟରେ ଥିବା ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ରାଜ୍ୟ କଂଗ୍ରେସରେ ସବୁକିଛି ଠିକ୍ ନ ଥିବାର ନଜରକୁ ଆସୁଛି । ବହୁ ଉଦ୍ୟମ ପରେ ବି ରାଜସ୍ଥାନର ନେତାଙ୍କ ମଧ୍ୟରେ ସମାଧାନ କରିବାରେ କଂଗ୍ରେସ ହାଇକମାଣ୍ଡ ସକ୍ଷମ ହେଉନାହାଁନ୍ତି । ଏହା ମଧ୍ୟରେ ଖବର ଆସୁଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ରାତ୍ରୀ ଭୋଜନରୁ ସଚିନ ପାଇଲଟ ନିଜକୁ ଦୂରେଇ ରଖିବାକୁ ସ୍ଥିର କରିଥିଲେ ।
ତେବେ ପାଇଲଟ୍ କ୍ୟାମ୍ପ ସହିତ ଜଡିତ ବିଧାୟକ ଓ ମନ୍ତ୍ରୀମାନେ ରାତ୍ରୀ ଭୋଜନରେ ଯୋଗ ଦେଇଛନ୍ତି । ରାତ୍ରୀ ଭୋଜନରେ ବିଜେପି ବିଧାୟକମାନେ ମଧ୍ୟ ଯୋଗ ଦେଇଛନ୍ତି । ରାଜସ୍ଥାନ ବିଧାନସଭାର ସପ୍ତମ ଅଧିବେଶନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପକ୍ଷ-ବିପକ୍ଷ ଦଳର ବିଧାୟକମାନଙ୍କୁ ସିଏମ ଗେହଲଟ ରାତ୍ରୀ ଭୋଜନ ଦେଇଛନ୍ତି । ବିଧାନସଭା ଅଧିବେଶନର ଶେଷ ଦିନରେ ସବୁ ଦଳର ବିଧାୟକମାନଙ୍କୁ ସିଏମ୍ ଗେହଲଟ ରାତ୍ରୀ ଭୋଜନ ଦେଇଆସୁଛନ୍ତି । ତେଣୁ ଏଥିରେ ରାଜନୀତିର କୌଣସି ସୁଯୋଗ ନଥିଲା । କିନ୍ତୁ ରାତ୍ରୀ ଭୋଜନରୁ ଦୂରତା ରକ୍ଷା କରି ସଚିନ ପାଇଲଟ ନିଶ୍ଚିତ ଭାବରେ ସୂଚାଇ ଦେଇଛନ୍ତି ଯେ ତିକ୍ତତା ଅକ୍ଷୁର୍ଣ୍ଣ ରହିଛି । ପାଇଲଟ ଦୁଇ ବର୍ଷ ହେବ କୌଣସି ପଦରେ ନାହାଁନ୍ତି । ପାଇଲଟ ଗୋଷ୍ଠୀ ଗତ ବର୍ଷ ଗେହଲୋଟ୍ ସରକାର ବିରୁଦ୍ଧରେ ବିଦ୍ରୋହ କରିଥିଲା ।
ସେବେଠାରୁ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ଗେହଲଟ କ୍ୟାବିନେଟର ସମ୍ପ୍ରସାରଣ ସମୟରେ ପାଇଲଟ ଗୋଷ୍ଠୀର ବିଧାୟକମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ରାଜନୈତିକ ନିଯୁକ୍ତିରେ ପାଇଲଟ ସମର୍ଥକମାନଙ୍କୁ ମଧ୍ୟ ସ୍ଥାନ ମିଳିଛି । କିନ୍ତୁ ପିସିସି ମୁଖ୍ୟ ପଦରୁ ହଟାଇବା ପରେ ସଚିନ ପାଇଲଟଙ୍କୁ କୌଣସି ପଦ ମିଳିନାହିଁ । ପାଇଲଟ ସମର୍ଥକମାନେ ଚାହୁଁଛନ୍ତି ଯେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଏକ ସମ୍ମାନଜନକ ପଦ ଦିଅନ୍ତୁ । ସଚିନ ପାଇଲଟ ରାଜସ୍ଥାନ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଆଲୋଚନା ହେଉଛି ଯେ କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଦାୟିତ୍ୱ ସଚିନ ପାଇଲଟଙ୍କୁ ଦେଇପାରନ୍ତି । ସଚିନ ପାଇଲଟ ପିସିସି ମୁଖ୍ୟ ଥିବା ସମୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିଥିଲା । ଏହି ଆଶା ନେଇ ସଚିନଙ୍କୁ ଦେଇପାରନ୍ତି ଦାୟିତ୍ୱ ।
