‘ମେଣ୍ଡୋସ୍’ ପ୍ରଭାବରେ ଆଜି ଓ ଆସନ୍ତାକାଲି ବର୍ଷା, ରାଜ୍ୟରେ ବୃଦ୍ଧି ପାଇବା ତାପମାତ୍ରା
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ମେଣ୍ଡୋସ୍’ ଶୁକ୍ରବାର ମଧ୍ୟରାତି ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡୁଚେରି ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ତେବେ ଏହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ୯ ତାରିଖ (ଶୁକ୍ରବାର) ସକାଳ ସାଢ଼େ ୮ଟାରୁ ୧୦ ତାରିଖ (ଶନିବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍ ସେହିପରି ୧୦ ତାରିଖ (ଶନିବାର) ସକାଳ ସାଢ଼େ ୮ଟାରୁ ୧୧ ତାରିଖ (ରବିବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟର ରାତି ତାପମାତ୍ରା ବଢ଼ିବ। ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ରହିଥିଲା। ସମତଳ ଅଞ୍ଚଳରେ ସର୍ବନିମ୍ନ ରାତିର ତାପମାତ୍ରା ଫୁଲବାଣୀରେ ୯ ଡିଗ୍ରି ରେକର୍ଡ କରାଯାଇଛି। ଠିକ୍ ସେହିପରି ପାହାଡ଼ିଆ ଅଞ୍ଚଳ ମଧ୍ୟରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୬.୯ ଡିଗ୍ରି ରାତି ତାପମାତ୍ରା ରେକର୍ଡ କରାଯାଇଛି। ଆଜି ସକାଳେ ରାଜ୍ୟରେ କେତେକ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା। ସେହିପରି ଆସନ୍ତା ୨୪ ଘଣ୍ଟା ପରେ ବଢିବ ରାତ୍ରି ତାପମାତ୍ରା, କମିବ ଶୀତ। ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।
