୧୭ ଓ ୧୮ରେ ରାଜ୍ୟର ଏହିସବୁ ଜିଲାରେ ବର୍ଷା
ଭୁବନେଶ୍ବର : ରାଜ୍ୟରେ ୧୭ ରୁ ବଦଳିବ ପାଗ । ପାଗ ମେଘୁଆ ରହିବ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହା କହିଛନ୍ତି ।
୧୭ ତାରିଖ ଆଡ଼କୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର ଆଦି ଜିଲାରେ ୧୭ ତାରିଖ ଦିନ ହାଲୁକା ବର୍ଷା ହେବ। ସେହିଭଳି ୧୮ ତାରିଖ ଦିନ ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ଜିଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।
ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆନ୍ଧ୍ରପ୍ରଦେଶରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏଥିପାଇଁ ଉତ୍ତରା ପବନ ଆସିପାରୁନି । ଉତ୍ତର ଭାରତରେ ଭାରୀ ଥଣ୍ଡା ସତ୍ତେ୍ୱ ଓଡ଼ିଶାରେ ଏହା ପହଞ୍ଚି ପାରୁନି । ଆସନ୍ତା ୭ ଦିନ ଯାଏ ଥଣ୍ଡା ବଢିବାର ସମ୍ଭାବନା କମ୍ । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆହୁରି ୫ରୁ ୬ ଡିଗ୍ରୀ ବଢ଼ିପାରେ । ତେବେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ସେ କହିଛନ୍ତି ।
ସୂଚନା ଯେ, ରାଜ୍ୟରେ ଏବେ ଶୀତ କମ୍ ରହିଥିବା ବେଳେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଗତ ରବିବାର ରାଜ୍ୟରେ ୧୧ ସହରର ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିଥିଲା । କୋରାପୁଟର ରାତି ତାପମାତ୍ରା ୭.୫, ଜି ଉଦୟଗିରିର ୮.୪, ସିମିଳିଗୁଡାର ୯ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାର ୧୦.୯, କିରେଇ ଓ ଫୁଲବାଣୀର ୧୧, ଢେଙ୍କାନାଳର ୧୨.୪, ସୁନ୍ଦରଗଡ଼ ଓ ରାଉରକେଲାର ୧୩, ଢେଙ୍କାନାଳର ୧୩.୪, ଝାରସୁଗୁଡାର ୧୩.୬, ଭବାନୀପାଟଣାର ୧୩.୬, ନବରଙ୍ଗପୁରର ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସୋମବାର ରାଜ୍ୟର ବହୁ ସ୍ଥାନରେ କୁହୁଡ଼ି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଗଜପତି ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ସମ୍ଭାବନା ନାହିଁ କିମ୍ବା ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ।
