ପଶ୍ଚିମା ଝଡ଼ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷାପବନ ଓ କୁଆପଥର ବୃଷ୍ଟି
ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଜି ବର୍ଷା ହୋଇଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପବନ ହୋଇଛି । ବାଲେଶ୍ବର, ନୂଆପଡ଼ା, କୋରାପୁଟ, ମୟୂରଭଞ୍ଜ ଜିଲାରେ ବର୍ଷା ହୋଇଛି। ନୟାଗଡ଼ ଓ କନ୍ଧମାଳ ଜିଲାରେ କୁଆପଥର ବର୍ଷା ସହ ଝଡ଼ ପବନ ହୋଇଥିବା ଖବର ମିଳିଛି। ବଲାଙ୍ଗିର ଓ ସମ୍ବଲପୁର ଜିଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଗତ ୧୬ ତାରିଖଠାରୁ ରାଜ୍ୟର ବିଭିନ୍ନ ଜିଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ମଧ୍ୟ ହୋଇଛି । ଆସନ୍ତାକାଲି ମଧ୍ୟ କେତେକ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ପବନ ହେବା ସମ୍ଭାବନା ରହିଛି। ୨୦ ତାରିଖ ପରେ ହିଁ ପାଗ ପରିବର୍ତ୍ତନ ହେବ ।
ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଆଜି ସନ୍ଧ୍ୟା ୫ଟାରେ କୁଆପଥର ସହ ବର୍ଷା ହେଉଛି। ଏହି ସମୟରେ ଗୋରଖପୁର ଠାରୁ ମାରିଭଟା ଗ୍ରାମ ପର୍ଯ୍ୟନ୍ତ କୁଆପଥର ସହ ବର୍ଷା ହୋଇଛି, ଯାହା ଫଳରେ କିଛି ସମୟ ପାଇ ମୁଖ୍ୟରାସ୍ତା କୁଆପଥର ଢାଙ୍କି ହୋଇ ପଡ଼ିଛି। କିଛି ସମୟ ପାଇଁ ରାସ୍ତା କଶ୍ମୀର ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ନଦୀକୁ ଯାଇଥିବା ଦୁଇ ମହିଳା କୁଆପଥର ମାଡ଼ରେ ଗୁରୁତର ଭାବେ ଆହତ ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେହିଭଳି କାଶୀପୁର ବ୍ଲକ ପଣଷଗୁଡା ଗ୍ରାମରେ କିଛି ଘର ଟିଣ ମଧ୍ୟ ଉଡେଇ ନେଇଛି। ସ୍ଥାନୀୟ ତହସିଲ ଅଫିସ ପରିସରରେ ବହୁତ ବଡ଼ ଗଛ ଭାଙ୍ଗି ଯାଇଛି। କିଛି ଲୋକଙ୍କ କହିବା ଅନୁସାରେ ଏହିପରି କୁଆପଥର ମାଡ଼ ଓ ବର୍ଷା ଅନେକ ଦିନରୁ ହୋଇ ନଥିଲା।
ବାଲେଶ୍ବର ସହରର ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡରେ ସନ୍ଧ୍ୟା ସମୟରେ ଏକ ଯାତ୍ରୀବାହୀ ବସ୍ ଉପରେ ଏକ ବିଶାଳ ଗଛ ପଡ଼ିଯାଇଥିଲା। ଏହି ବସ୍ ବାଲେଶ୍ବରରୁ କୋଲକାତା ଯିବାକୁ ବାହାରିଥିଲା। ସହରର ମୁଖ୍ୟ ରାସ୍ତାରେ ଠିଆ ହୋଇଥିଲା ବେଳେ ଏକ ଗଛ ପଡ଼ିଯାଇଥିଲା। ସୌଭାଗ୍ୟ ବଶତଃ ଅଘଟଣ ସମୟରେ ବସ୍ରେ କୌଣସି ଲୋକ ନଥିଲେ। କାରଣ ଏହି ବସ୍ଟି ରାତିରେ କୋଲକାତା ଅଭିମୁଖେ ବାହାରି ଥାଏ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଥିଲା। ଯାହାଦ୍ବାରାକି ଅନ୍ୟ ଗାଡ଼ି ଓ ଲୋକଙ୍କର ଯାତୟତରେ ବାଧା ସୃଷ୍ଟି ହୋଇଥିଲା। ସେହିପରି ନୀଳଗିରି ଅଞ୍ଚଳର ପ୍ରତାପପୁର ଗାଁରେ ବଜ୍ରପାତ କାଣରୁ ୧୬ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାହ୍ଣ ୪ଟାରୁ କୁଆପଥର ମାଡ଼ ସହିତ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ବାଲେଶ୍ବର ସହରରେ ଜାମ ରହିଥିବା ଡ୍ରେନ୍ରେ ବର୍ଷା ଜଳ ପ୍ରବେଶ କରି ରାସ୍ତାଘାଟ ଉପରକୁ ଆସିଛି। ବାରମ୍ବାର ବିଦ୍ୟୁତ କାଟ ହେଉଛି। କୁଳଡିହା ଓ ଅନ୍ୟ ଅଞ୍ଚଳରେ ଲାଗିଥିବା ବନାଗ୍ନି ପାଇଁ ଏହି ବର୍ଷା ଆଶୀର୍ବାଦ ପାଲଟିଛି।
