୨ରୁ ପୁଣି ବଢିବ ବର୍ଷା! ଆଜି ୭ ଜିଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି
New Delhi: Vehicles ply on a road amid rainfall, in New Delhi ,on Saturday, August 05, 2023.(IANS/Anupam Gautam)
ଭୁବନେଶ୍ୱର : ମୌସୁମୀ ଟ୍ରଫ ଲାଇନ ଏବେ ହିମାଳୟ ପାଦଦେଶରେ ରହିଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଜାରି ରହିଛି । ୩୧ ତାରିଖରେ ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ବିଶେଷ କରି, ଗଜପତି, ରାୟଗଡ଼ା, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ।
ସୂଚନା ଅନୁଯାୟୀ, ଆଗାମୀ ୧ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୨ ତାରିଖ ଦିନ ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ, ୧୩୧ ବର୍ଷର ରେକର୍ଡ ଭାଙ୍ଗିଛି ମୌସୁମୀ । ୧୮୯୨ ମସିହା ପରେ ଅଗଷ୍ଟ ମାସରେ ପୁରୀ ସହରରେ କେବେ ବି ଏତେ ତାତି ଅନୁଭୂତ ହୋଇନାହିଁ । ମଙ୍ଗଳବାର ଦିନ ପୁରୀର ତାପମାତ୍ରା ୧୩୧ ବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି । ଗତକାଲି ସହରର ତାପମାତ୍ରା ୩୬ ଡିଗ୍ରୀ ପାର କରିଥିଲା । ଏହା ଏକ ବ୍ୟତିକ୍ରମ ଓ ଏଲ୍ନିତନୋ ପ୍ରଭାବରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଅଗଷ୍ଟ ମାସରେ ସାଧାରଣତଃ ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲ୍ସିସିୟସ୍ ରହିଥାଏ। କିନ୍ତୁ ଏ ବର୍ଷ ହାରାହାରି ତାପମାତ୍ରା ୩୫ ଡିଗ୍ରୀ ପାର କରିଥିଲା। ପୁରୀ ସମେତ ରାଜ୍ୟର ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ପାର କରିଥିଲା।
ପ୍ରକାଶ ଥାଉ କି, ଏହି ସମୟରେ ଅଧିକ ବର୍ଷା ହେବା କଥା, କିନ୍ତୁ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ଚାଷୀଙ୍କୁ ନିରାଶ କରିଛି। ଅଗଷ୍ଟ ମାସରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି। ,ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ କୃଷି ବିଭାଗ ମଧ୍ୟ ଆଶଙ୍କା ପ୍ରକଟ କରିଛି। ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୧ ଲକ୍ଷ ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଶ୍ରାବଣ ଶେଷ ହେବାକୁ ବସିଥିବା ବେଳେ ରାଜ୍ୟର ୯୦ ପ୍ରତିଶତ ଜମିରେ ତଳି ରୁଆ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୯୦ ପ୍ରତିଶତ ଢିପ ଜମିରେ ତଳି ପକା କାମ ଆରମ୍ଭ ହୋଇପାରିନାହିଁ । ଅଗଷ୍ଟ ମାସରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି, କିନ୍ତୁ ଯେତିକି ବର୍ଷା ହୋଇଛି ସେଥିରେ ଚାଷ କାମ ଆରମ୍ଭ କରିଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଦୃଷ୍ଟିରୁ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ବର୍ଷା ଯୋଗୁଁ ଧାନ ଚାଷ ସଂପୂର୍ଣ୍ଣ ରୂପେ ପ୍ରଭାବିତ ହେବା ନେଇ ଚାଷୀ ଆଶଙ୍କା କରିଛନ୍ତି ।
