ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ବିଭିନ୍ନ ଜିଲାକୁ ଆଲର୍ଟ ଜାରି
ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବର୍ଷା ଜାରି । ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଆଜି ଅଧିକ ରହିବ ବର୍ଷାର ପରିମାଣ । ଆଜି ୨୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ୨୫ ଜିଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେପଟେ ୨୬ ତାରିଖ ଯାଏ ୧୯ ଜିଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷାର ପୂର୍ବାନୁମାନ ଜାରି କରିଛି ପାଣିପାଗ ବିଭାଗ।
ଗୁରୁବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ଭାରୀ ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ଶୁକ୍ରବାର ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ଅଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଶନିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୭, ୨୮ ଓ ୨୯ ତାରିଖରେ ଠାଏ ଠାଏ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ବୁଧବାର ହୀରାକୁଦରେ ସର୍ବାଧିକ ୪୩ମିମି ବର୍ଷା ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ଛତ୍ରପୁରରେ ୩୬.୪, ଗୋପାଳପୁରରେ ୧୭.୨, ସୋନପୁରରେ ୧୪.୬, ଭୁବନେଶ୍ୱରରେ ୧୧.୧, ରାଉରକେଲାରେ ୯.୪, ଭବାନୀପାଟଣାରେ ୯.୨ମିମି ବର୍ଷା ହୋଇଛି ।
ସୂଚନା ଯେ, ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୭୪୩.୮ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବୃଷ୍ଟିପାତ ୮୨୨.୯ ମିମି ତୁଳନାରେ ୧୦ ପ୍ରତିଶତ କମ। ଗୋଟିଏ ଜିଲାରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ବେଳେ ୧୧ଟି ଜିଲାରେ ନିଅଣ୍ଟିଆ ଓ ୧୮ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।
