ଆଜି ଓ ଆସନ୍ତାକାଲି ଏହି ସବୁ ଜିଲାରେ ବର୍ଷା ସମ୍ଭାବନା, ୭ ଜିଲାରେ ଘନ କୁହୁଡ଼ି ପାଇଁ ସତର୍କତା
ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଜିଲାରେ ସ୍ୱଳ୍ପ ବର୍ଷା ହୋଇପାରେ । ସେହିପରି ବୁଧବାର ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧୭ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଢେଙ୍କାନାଳ ଓ ଯାଜପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିଭଳି ୧୮ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।
ସେହିଭଳି ୭ ଜିଲାରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଅନୁଗୁଳ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତ୍ସିଂହପୁର, ଖୋର୍ଦ୍ଧା ଓ ପୁରୀରେ ମଙ୍ଗଳବାର ସକାଳେ ଘନ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ପାଇଁ ରାଜପଥରେ ଦୁର୍ଘଟଣାର ଆଶଙ୍କା ରହିଛି । ଏହାକୁ ଏଡ଼ାଇବାକୁ ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନେ ପଦକ୍ଷେପ ନେବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ଦିନବେଳା ପାଗ ମେଘୁଆ ରହିଛି । ବହୁ ସ୍ଥାନରେ ଦିନ ତାପମାତ୍ରା ୩୦ଡିଗ୍ରୀରୁ କମ୍ ରହିଛି ।
ସୂଚନା ଯେ, ସୋମବାର ୪ଟି ସ୍ଥାନର ତାପମାତ୍ରା ୧୦ଡିଗ୍ରୀ ତଳେ ଥିଲା । କୋରାପୁଟରେ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ୭ଡିଗ୍ରୀ, ଜି ଉଦୟଗିରିରେ ୮.୪, ସିମିଳିଗୁଡାରେ ୯.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ୧୦.୫, କିରେଇରେ ୧୧.୨, ଦାରିଙ୍ଗିବାଡିରେ ୧୨.୫, ଝାରସୁଗୁଡାରେ ୧୧.୬ ଓ ସୁନ୍ଦରଗଡରେ ୧୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।
