ଆଜିଠୁ ବର୍ଷା, ୯ ଜିଲାକୁ ୟେଲୋ ୱାର୍ଣ୍ଣି
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ଆଗକୁ ଆଉ ଦୁଇରୁ ତିନିଦିନ ପର୍ଯ୍ୟନ୍ତ ଦୁର୍ବଳ ମୌସୁମି ପ୍ରଭାବ ଲାଗି ରହିପାରେ। ଏହି ପରିପ୍ରେକ୍ଷୀରେ ଆଜିଠୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏଥିସହ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ରାଜ୍ୟବ୍ୟାପୀ ମୌସୁମୀ ବର୍ଷା ହେବ । ୨୪ ଘଣ୍ଟାପରେ ଆଭ୍ୟନ୍ତରୀଣ ଜିଲ୍ଲାରେ ଅନେକ ଜିଲ୍ଲା ଏବଂ ଉପକୂଳ ଜିଲା ଗୁଡିକରେ ଘଡଘଡି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୭ରେ ବର୍ଷାର ପରିମାଣ ବଢିପାରେ । ବର୍ତ୍ତମାନ ମନସୁନ୍ ଟ୍ରାପ ଉତ୍ତର ମୁହାଁ ରହିଥିବା ବେଳେ ଏହାରି ପ୍ରଭାବରେ ବର୍ଷା ସ୍ଥିତି ଦେଖାଦେବ । ଅନ୍ୟପଟେ ଜୁନ୍ ପହିଲାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ୫୮୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୭ ଜିଲାରେ କମ୍ ବର୍ଷା ହୋଇଛି । ପାଣିପାଗ ବିଶେଷଜ୍ଞ ଏମିତି ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଶେଷଜ୍ଞ କହିଛନ୍ତି, ଆସନ୍ତା ୨୮ତାରିଖର ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଉଣା ଅଧିକ ବର୍ଷା ଜାରି ରହିବ। ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରତିଦିନ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ୩୦ ଓ ୩୧ରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ବର୍ଷା ୯୦ରୁ ୧୦୦ମିମି ହୋଇପାରେ। ସେହିପରି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏନେଇ ୯ ଜିଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୁଖ୍ୟତଃ କନ୍ଧମାଳ ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ବାଲେଶ୍ୱର ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ପାଣିପାଗ କେନ୍ଦ୍ରର ତଥ୍ୟାନୁଯାୟୀ, ଅଗଷ୍ଟ ପହିଲାରୁ ୨୪ ତାରିଖ ସୁଦ୍ଧା ୨୯୨.୬ ମିମି ବର୍ଷା ହେବାକୁ ଥିବାବେଳେ ୧୩୨ ମିମି ହୋଇଛି। ଯାହାକି ୫୫ ପ୍ରତିଶତ ନିଅଣ୍ଟ। ଚଳିତ ମାସରେ କେବଳ ମାଲକାନଗିରି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ବାକି ୨୯ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି। ମୌସୁମିଜନିତ ବର୍ଷା ଜୁନ୍ ପହିଲାରୁ ଅଗଷ୍ଟ ୨୪ ସୁଦ୍ଧା ରାଜ୍ୟରେ ୮୫୪.୯ ମିମି ବର୍ଷା ହେବାକୁ ଥିବାବେଳେ ମାତ୍ର ୫୮୮.୩ ମିମି ହୋଇଛି। ଯଦ୍ଦାରା ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହେଲାଣି। ୨୭ ଜିଲାରେ ଅଭାବୀ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ଅନୁଗୋଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି ଏବଂ ଝାରସୁଗୁଡା ଜିଲାରେ ରହିଛି। ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ୫ ଜିଲାରେ ସ୍ବାଭାବିକ ଥିବାବେଳେ ୧୮ ଜିଲାରେ ନିଅଣ୍ଟିଆ ଏବଂ ୭ ଜିଲା ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ଯାଜପୁର ଏବଂ ଭଦ୍ରକରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। ସୂଚନା ଯେ, ଏପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଅନୁଯାଇ ରାଜ୍ୟରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ମୋଟ ୫୮୮ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ଠାରୁ ୩୧ ପ୍ରତିଶତ କମ୍ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ହୋଇଥିବାବେଳେ କୋରାପୁଟ, ମାଲକାନଗିରି ଏବଂ ନୂଆପଡାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।
