ରେଳଯାତ୍ରୀଙ୍କ ତଥ୍ୟ ଚୋରି ଘଟଣା : ପ୍ରତିକ୍ରିୟା ରଖିଲା ଆଇଆରସିଟିସି, ଜାଣନ୍ତୁ କଣ
ନୂଆଦିଲ୍ଲୀ : ପ୍ରତିଦିନ କୋଟି କୋଟି ଭାରତୀୟ ରେଳଯାତ୍ରା କରନ୍ତି। ଯଦି ଜଣେ ସାଇବର ହ୍ୟାକର ରେଳ ସେବା ଉପରେ ନଜର ପକାନ୍ତି ତାହେଲେ କ’ଣ ହେବ? ସଦ୍ୟ ଏପରି ଏକ ଖବର ବୁଧବାର ରେଳ ଯାତ୍ରା କରୁଥିବା କୋଟି କୋଟି ଯାତ୍ରୀଙ୍କୁ ଅସୁବିଧାରେ ପକାଇଥିଲା। ଯେତେବେଳେ ଗଣମାଧ୍ୟମରେ ପ୍ରକାଶିତ ଖବରରେ ଦର୍ଶାଯାଇଥିଲା ଯେ କିଛି ସାଇବର ହ୍ୟାକର୍ ପ୍ରାୟ ୩ କୋଟି ରେଳଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଇଛନ୍ତି। ଯେଉଁଥିରେ ରେଳଯାତ୍ରୀଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ବୟସ ଆଦି ତଥ୍ୟ ଅନ୍ତର୍ଭୂକ୍ତ ରହିଛି।
ହେଲେ ପ୍ରକୃତରେ କଣ ସାଇବର ହ୍ୟାକର ଏପରି କାଣ୍ଡ ଭିଆଇଛନ୍ତି? ରେଳଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣାରେ ପ୍ରତିକ୍ରିୟା ରଖିଛି ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ପ୍ରଦାନ କରୁଥିବା ସରକାରୀ ସଂସ୍ଥା ଆଇଆରସିଟିସି । ଏନେଇ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ପକ୍ଷରୁ କୁହାଯାଇଛି ଏହାର ସର୍ଭରରୁ କୌଣସି ତଥ୍ୟ ଲିକ୍ ହୋଇନାହିଁ। ହେଲେ ଏହି କଥିତ ଘଟଣାର ଯାଞ୍ଚ କରାଯାଉଛି।
ଗଣମାଧ୍ୟମ ରିପୋର୍ଟ ଜରିଆରେ ଦାବି କରାଯାଇଛି ଯେ ସାଇବର ହ୍ୟାକର ପ୍ରାୟ ୩ କୋଟି ରେଳଯାତ୍ରୀଙ୍କ ତଥ୍ୟ ଚୋରି କରି ନେଇଛନ୍ତି। ଯେଉଁଥିରେ ଯାତ୍ରୀଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ବୟସ ସହିତ ସମସ୍ତ ବ୍ୟକ୍ତିଗତ ତଥ୍ୟ ଏଥିରେ ଅନ୍ତର୍ଭୂକ୍ତ ରହିଛି। ଯାହା ସେମାନେ ଆଇଆରସିଟିସି ୱେବସାଇଟ ଜରିଆରେ ଅନଲାଇନ ଟ୍ରେନ ଟିକେଟ ବୁକିଂ କରିବା ସମୟରେ ପ୍ରଦାନ କରିଥାନ୍ତି। ରେଳଯାତ୍ରୀଙ୍କ ଏହି ତଥ୍ୟ ଡାର୍କ ୱେବ ଜରିଆରେ ବିକ୍ରି ହେଉଛି ବୋଲି ଏହି ରିପୋର୍ଟ ଦାବି କରିଥିଲା।
ଏହି ଖବର ପାଇବା ପରେ ପ୍ରଥମେ ପ୍ରତିକ୍ରିୟା ରଖି ଆଇଆରସିଟିସି କହିଥିଲା ଯେ ତଥ୍ୟ ଚୋରି ହେବା ସମ୍ପର୍କରେ ଭାରତୀୟ ରେଳବାଇ ସୂଚନା ପାଇଛି। ରେଲୱେ ବୋର୍ଡ ଏହି ସରକାରୀ ଟିକେଟ୍ ବୁକିଂ ସଂସ୍ଥାକୁ ରେଳଯାତ୍ରୀଙ୍କ ସାମ୍ଭାବ୍ୟ ତଥ୍ୟ ଚୋରି ହେବା ବିଷୟରେ ଚେତାବାନୀ ଦେଇଥିଲା। ହେଲେ ଯେତେବେଳେ ତଥ୍ୟର ନମୁନା ପରୀକ୍ଷଣ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ନମୁନା ତଥ୍ୟର ପେଟର୍ଣ୍ଣ ଆଇଆରସିଟିସି ଏପିଆଇ ସହିତ ମେଳ ଖାଉ ନାହିଁ। ଏନେଇ ଆଇଆରସିଟିସି ପକ୍ଷରୁ କହିଛି ଯେ ଯେଉଁ ତଥ୍ୟ ହ୍ୟାକ୍ ହୋଇଥିବା କୁହାଯାଉଛି ତାହା ଆଇଆରସିଟିସି ସର୍ଭରରୁ ହୋଇନାାହିଁ।
ଆଇଆରସିଟିସି ନିଜେ ଦେଇଥିବା ବିବୃତ୍ତିରେ ରେଳବାଇ ବୋର୍ଡ ଭାରତୀୟ ରେଳବାଇକୁ ସମ୍ଭାବ୍ୟ ତଥ୍ୟ ଚୋରି ସମ୍ପର୍କରେ ଚେତାବନୀ ପଠାଇଛି। ଯାହା ରେଳ ଯାତ୍ରୀଙ୍କ ସୂଚନା ସହିତ ଜଡିତ। ଏହି ପରିପ୍ରେକ୍ଷୀରେ ତଥ୍ୟର ଏକ ନମୁନାକୁ ବିଶ୍ଳେଷଣ କରାଯାଇଥିଲା। ଏହା ଆଇଆରସିଟିସି ଆପ୍ ଇତିହାସ ସହିତ ମେଳ ଖାଉ ନ ଥିବା ଜଣାପଡିଛି। ଆଇଆରସିଟିସି ସର୍ଭରରୁ ସମ୍ଭାବ୍ୟ ତଥ୍ୟ ଚୋରି ହୋଇନାହିଁ।
ଏହି ଘଟଣାରେ ତଦନ୍ତ ଚାଲିଛି। ଏଥି ସହିତ ଆଇଆରସିଟିସି ଏହାର ସମସ୍ତ ବ୍ୟବସାୟିକ ଭାଗୀଦାରୀଙ୍କୁ ତୁରନ୍ତ ସେମାନଙ୍କ ସର୍ଭର ଯାଞ୍ଚ କରିବାକୁ ଜଣାଇ ଦେଇଛି। ଯାହା ଦ୍ୱାରା ଏହା ନିଶ୍ଚିତ ହୋଇପାରିବ ଯେ ସେମାନଙ୍କ ପକ୍ଷରୁ କୌଣସି ଡାଟା ଲିକ ହୋଇନାହିଁ। ଏହାର ଫଳାଫଳ ସହିତ ଆଇଆରସିଟିସି ମଧ୍ୟ ସମସ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରୁଛି।
